କୋଲକାତା, ୨୮/୦୫: ମାଟି ତଳେ ଟଙ୍କା ଲୁଚାଇ ରଖିଥିଲେ ଟିଏମସି ନେତା। ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣା ଜିଲ୍ଲାର ବଡୁରିଆରେ ଟିଏମ୍ସି (ତୃଣମୂଳ କଂଗ୍ରେସ) ନେତା ଓ ବଡୁରିଆ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ଫାର୍ମହାଉସ୍ ଓ ଝୋଟ କ୍ଷେତ ନିକଟରୁ ପୋଲିସ୍ ମାଟି ଖୋଳି ସେଥିରୁ ୨ କୋଟି ୨୪ ଲକ୍ଷ ଟଙ୍କା ଜବତ କରିଛି। ଗଣନା ଏପର୍ଯ୍ୟନ୍ତ ଚାଲୁ ରହିଛି ଓ ଆହୁରି ଅଧିକ ଟଙ୍କା ମିଳିପାରେ ବୋଲି ଅନୁମାନ କରାଯାଉଛି। ସମସ୍ତ ନୋଟ୍ ପ୍ରାୟତଃ ୫୦୦ ଟଙ୍କିଆ ଥିଲା।
ସୂଚନାଯୋଗ୍ୟ, ମେ ୨୭ ତାରିଖରେ ପୋଲିସ୍ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ୍ କରିଥିଲା। ତାଙ୍କ ଘର ଓ ଅଫିସ୍ ରେଡ୍ କରି ସେଠାରୁ ୮୦ ଲକ୍ଷ ଟଙ୍କା ଓ ପ୍ରାୟ ୪,୦୦୦ ଟାର୍ପୋଲିନ୍ ସିଟ୍ (ସରକାରୀ ରିଲିଫ୍ ସାମଗ୍ରୀ) ଜବତ୍ କରିଥିଲା।
ଜେରା ସମୟରେ ସେ ମାଟି ତଳେ ଲୁଚାଇଥିବା ଟଙ୍କା ବିଷୟରେ ସୂଚନା ଦେବା ପରେ ବଟୁଲଡାଙ୍ଗା ସ୍ଥିତ ତାଙ୍କ ଫାର୍ମହାଉସ୍ ପାଖରେ ଥିବା ଝୋଟ କ୍ଷେତରେ ଖୋଳାଯାଇଥିଲା। ସେଠାରୁ କେତେକ ବଡ଼ ବ୍ୟାଗ୍, ଟ୍ରଲି ବ୍ୟାଗରୁ ଟଙ୍କା ବଣ୍ଡଲ୍ ଜବତ ହୋଇଛି। ଦିପଙ୍କରଙ୍କ ବ୍ୟକ୍ତିଗତ ସଚିବ ଶମିମ୍ ଗାଜିଙ୍କୁ ମଧ୍ୟ ଗିରଫ କରାଯାଇଛି।