ପୌର ସଂସ୍ଥାରେ ବ୍ୟାପକ ଦୁର୍ନୀତି ଯୋଗୁଁ ବଳି ପଡ଼ିଲେ ଝାରସୁଗୁଡ଼ା EO

ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ନେଇ ଉଠିଲା ପ୍ରଶ୍ନ

ଝାରସୁଗୁଡ଼ା, ୨୮/୦୫: ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ସଫେଇ ଗାଡ଼ି ନିୟୋଜନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଧରାପଡ଼ିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ମାନସ ରଞ୍ଜନ ମଲ୍ଲିକଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି। ସଫେଇ କାର୍ଯ୍ୟ ପାଇଁ ଲାଇଟ୍ କମର୍ସିଆଲ୍ ଭେହିକଲ୍ (ଏଲସିଭି) ନିୟୋଜନରେ ହୋଇଥିବା ଅନିୟମିତତା ଏହି ବଦଳିର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ପୌରସଂସ୍ଥା ୨୦ଟି ଏଲସିଭି କ୍ରୟ କରିବା ପରିବର୍ତ୍ତେ ଅତ୍ୟଧିକ ଦରରେ ଭଡ଼ାରେ ନେଇ ପୌରପାଳିକା ପାଣ୍ଠିର କ୍ଷତି କରିଥିବା ଅଭିଯୋଗ ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ସମୟରେ ଇଓ ସଫେଇ ଦେଇ କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ନଗର ନିକାୟଗୁଡ଼ିକୁ ଭଡ଼ା ଆଧାରରେ ଏଲସିଭି ନିୟୋଜନ ପାଇଁ ପରାମର୍ଶ ଦିଆଯାଇଥିଲା। ସେ କହିଥିଲେ ଯେ ୨୪ଟି ୱାର୍ଡ ଓ ପ୍ରାୟ ୩୦ ହଜାର ପରିବାର ଥିବା ଝାରସୁଗୁଡ଼ା ପୌରସଂସ୍ଥା ପାଇଁ ୩୦ଟି ଏଲସିଭି ଆବଶ୍ୟକ ଥିଲା।

ତେବେ ତଦନ୍ତରେ କୌଣସି ଆର୍ଥିକ କିମ୍ବା ବୈଷୟିକ ସମୀକ୍ଷା ବିନା ଗାଡ଼ି ଭଡ଼ା ନେବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପ୍ରତି ଗାଡ଼ି ପାଇଁ ମାସିକ ୬୫ ହଜାର ଟଙ୍କା ସୀମା ନିର୍ଦ୍ଧାରଣରେ ମଧ୍ୟ କୌଣସି ପ୍ରାମାଣିକ ତଥ୍ୟ କିମ୍ବା ପରିବହନ ବିଭାଗର ପରାମର୍ଶ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଟେଣ୍ଡରରେ ଅଂଶଗ୍ରହଣ କରିଥିବା ତିନୋଟି ସଂସ୍ଥା ଏକେ ଠିକଣା ବ୍ୟବହାର କରିଥିବା ବେଳେ ଜିଏସଟି ଓ ଏମସିଏ ତଥ୍ୟ ଅନୁସାରେ ସେଗୁଡ଼ିକ ପରସ୍ପର ସଂପୃକ୍ତ ଥିବା ସନ୍ଦେହ ପ୍ରକାଶ ପାଇଛି।

ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଓ ଦାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।