ସାଂସଦଙ୍କୁ ଅଣ୍ଡା ଓ ପଥର ମାଡ଼, ବାଡ଼ିରେ ଗୋଡ଼େଇ ଗୋଡ଼େଇ ପିଟିଲେ

ହେଲମେଟ୍‌ ପିନ୍ଧାଇ ଏସ୍କର୍ଟ କରି ନେଲେ ସୁରକ୍ଷାକର୍ମୀ

କୋଲକାତା, ୩୦/୦୫: ଶନିବାର ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୋନାରପୁର ସାଉଥ ଅଞ୍ଚଳରେ ତୃଣମୂଳ କଂଗ୍ରେସର ସାଂସଦ ଓ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ ତୀବ୍ର ଆକ୍ରମଣ ହୋଇଛି। ସେ ଭୋଟ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ଦଳୀୟ କର୍ମୀଙ୍କ ପରିବାର ସହ ସାକ୍ଷାତ କରିବାକୁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଘେରି ଅଣ୍ଡା, ପଥର, ଚପଲ ମାଡ଼ କରିଥିଲେ। କିଛି ଲୋକ ବାଡ଼ିରେ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

ସ୍ଥାନୀୟ ମହିଳାଙ୍କ ସମେତ ଅନ୍ୟ ଲୋକେ ତାଙ୍କ ଗାଡ଼ି ଓ କନଭଏ ଉପରେ ଆକ୍ରମଣ କରିଥିଲେ। ସେମାନେ “ଚୋର ଚୋର” ସ୍ଲୋଗାନ୍ ଦେଇ ତାଙ୍କୁ ଘେରି ଧରିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ହେଲମେଟ୍ ପିନ୍ଧାଇ ଏସ୍କର୍ଟ କରି ନେଇଥିଲେ। ଅଭିଷେକ ନିଜେ ଦାବି କରିଛନ୍ତି ଯେ ଦଳୀୟ କର୍ମୀମାନେ ତାଙ୍କୁ ସୁରକ୍ଷା ଦେଇଥିଲେ।

ଆକ୍ରମଣ ପରେ ଅଭିଷେକ ବାନାର୍ଜୀ ଏହାକୁ ବିଜେପି ପ୍ରାୟୋଜିତ ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ଜୀବନ ଉପରେ ଆକ୍ରମଣ ଥିଲା ଏବଂ ସମଗ୍ର ଘଟଣା କ୍ୟାମେରାରେ କଏଦ ହୋଇଛି। ସେ ଏହାକୁ ନେଇ କୋର୍ଟ, ହାଇକୋର୍ଟ ଏବଂ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି।