ପରକୀୟା ପ୍ରୀତିର କରୁଣ ପରିଣତି: ମା’ ଛାଡ଼ିଗଲା, ବାପା ଆତ୍ମହତ୍ୟା କଲେ

ଚାରି କୋମଳମତି ଶିଶୁ ହେଲେ ଅନାଥ

ଲକ୍ଷ୍ମୀପୁର, ୩୧/୦୫ (ରଞ୍ଜିତ ମହାନନ୍ଦିଆ): ଜୀବନର ସମସ୍ତ ଝଡ଼ଝଞ୍ଜାକୁ ସାଥୀ ହୋଇ ସାମ୍ନା କରିବାକୁ ସାତ ଜନ୍ମର ସାଥୀ ହୋଇଥିଲେ। ପ୍ରେମରୁ ଆରମ୍ଭ ହୋଇଥିବା ସଂସାରରେ ହସଖୁସିର ମୁହୂର୍ତ୍ତ ସହ ଜନ୍ମ ନେଇଥିଲେ ଚାରି ଚାରିଟି କନ୍ୟା ସନ୍ତାନ। ହେଲେ ଭାଗ୍ୟର ନିଷ୍ଠୁର ପରିହାସ ଓ ସମ୍ପର୍କରେ ଆସିଥିବା ଫାଟ ସବୁକିଛିକୁ ଛିନ୍ନଭିନ୍ନ କରିଦେଲା। ଶେଷରେ ସ୍ତ୍ରୀ’ର ବିରହ ବେଦନା ଓ ପିଲାମାନଙ୍କ ଭବିଷ୍ୟତ ଚିନ୍ତାରେ ଭାଙ୍ଗି ପଡ଼ିଥିବା ଜଣେ ବାପା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପରେ ଚାରି କୋମଳମତି ଶିଶୁ ଆଜି ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି।

ଏଭଳି ଏକ ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମରେ ଘଟିଛି। ମୃତକ ହେଲେ ମହେଶ୍ୱର ଖରା।

ସୂଚନା ଅନୁସାରେ, ୨୦୧୦ ମସିହାରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ନାରିଙ୍ଗଝୋଡ଼ି ଗ୍ରାମର ଗୀତା ନାଏକଙ୍କୁ ପ୍ରେମ ବିବାହ କରିଥିଲେ ମହେଶ୍ୱର ଖରା। ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ ଚାଲିଥିଲା। ସେମାନଙ୍କ ସଂସାରକୁ ଆହୁରି ଆଲୋକିତ କରିଥିଲେ ଚାରିଟି କନ୍ୟା ସନ୍ତାନ।

ତେବେ ପ୍ରାୟ ତିନି ବର୍ଷ ତଳେ ହଠାତ୍ ମହେଶ୍ୱର ପକ୍ଷାଘାତ ରୋଗରେ ପୀଡ଼ିତ ହୋଇପଡ଼ିଥିଲେ। ଆର୍ଥିକ ଅନଟନ ମଧ୍ୟରେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇ ଧୀରେ ଧୀରେ ସୁସ୍ଥତା ଲାଭ କରୁଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଜୀବନରେ ଆସିଥିଲା ସବୁଠାରୁ ବଡ଼ ଝଡ଼। ଅଭିଯୋଗ ଅନୁଯାୟୀ, ପନ୍ଦର ଦିନ ପୂର୍ବେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କରେ ଆସି ସ୍ୱାମୀ ଓ ତିନି କନ୍ୟା ସନ୍ତାନଙ୍କୁ ଛାଡ଼ି ଦୁଇ ବର୍ଷର ଛୁଆକୁ ସାଥିରେ ନେଇ ଅନ୍ୟ ଏକ ପୁରୁଷ ସହ କୁଆଡ଼େ ଚାଲିଯାଇଥିଲେ।

ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ମହେଶ୍ୱର ଅନେକ ଚେଷ୍ଟା କରିଥିଲେ। ସମ୍ପର୍କୀୟ, ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତା ନେଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କୌଣସି ସୁଫଳ ନମିଳିବାରୁ ସେ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଦିନ ପରେ ଦିନ ବିତିଯାଉଥିଲା, ହେଲେ ସ୍ତ୍ରୀଙ୍କ କୌଣସି ସନ୍ଧାନ ମିଳୁନଥିଲା।

ଏହାରି ଭିତରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ମହେଶ୍ୱର। ଗୋଟିଏ ପଟେ ରୋଗ ଯନ୍ତ୍ରଣା, ଅନ୍ୟ ପଟେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଚାଲିଯିବାର ଦୁଃଖ ଓ ଚାରିଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଚିନ୍ତା ତାଙ୍କୁ ଗଭୀର ଅବସାଦ ଆଡ଼କୁ ଠେଲି ଦେଇଥିଲା। ଶେଷରେ ନିରାଶାର ଅନ୍ଧକାରରେ ବୁଡ଼ିଯାଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସବୁଠାରୁ ବେଶି ହୃଦୟବିଦାରକ ଦୃଶ୍ୟ ଏବେ ସେହି ଚାରି ଶିଶୁଙ୍କର। କିଛିଦିନ ପୂର୍ବରୁ ମା’ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ, ଆଉ ଆଜି ବାପା ମଧ୍ୟ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଘର କୋଣରେ ବସି ଅସହାୟ ଭାବେ କାନ୍ଦୁଥିବା ଶିଶୁମାନଙ୍କ ଆଖିରେ ଗୋଟିଏ ମାତ୍ର ପ୍ରଶ୍ନ—

“ବାପା, ଆମକୁ ଏକା କରି କାହିଁକି ଚାଲିଗଲ? ଆମର ଭୁଲ କଣ ଥିଲା?”

ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ହେଲେ ସେମାନଙ୍କ ଆଖିର ଲୁହ ଆଜି ସମଗ୍ର ଅଞ୍ଚଳକୁ ଭାବବିହ୍ୱଳ କରିଦେଇଛି।

ବର୍ତ୍ତମାନ ଅନାଥ ହୋଇଯାଇଥିବା ଏହି ଚାରି ଶିଶୁଙ୍କ ଭବିଷ୍ୟତକୁ ନେଇ ସମ୍ପର୍କୀୟ ଓ ଗ୍ରାମବାସୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ପାଠପଢ଼ା, ରହଣି ଓ ଭରଣପୋଷଣ ପାଇଁ ସରକାର ତୁରନ୍ତ ସହାୟତାର ହାତ ବଢ଼ାଇବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

ଜଣେ ମା’ର ବିଚ୍ଛେଦ ଓ ବାପାଙ୍କ ଆତ୍ମହତ୍ୟା ମଧ୍ୟରେ ଆଜି ହଜିଯାଇଛି ଚାରିଟି ନିରୀହ ଶିଶୁଙ୍କ ହସ। ଯେଉଁ ବୟସରେ ପିଲାମାନେ ବାପାଙ୍କ କାନ୍ଧରେ ବସି ମେଳା ବୁଲିବାର ସପ୍ନ ଦେଖନ୍ତି, ମା’ର କୋଳରେ ମୁଣ୍ଡ ରଖି ଗପ ଶୁଣନ୍ତି, ବିସ୍କୁଟ ଓ ଚକୋଲେଟ ପାଇଁ ଅଳି କରନ୍ତି, ସେହି ବୟସରେ ଆଜି ସେମାନେ ଜୀବନର କଠିନ ବାସ୍ତବତା ସହ ଲଢିବାକୁ ବାଧ୍ୟ ହୋଇଛନ୍ତି। ଘରର ଚାରି କାନ୍ଥ ତଳେ ବସି ଲୁହ ଭିଜା ଆଖିରେ ସେମାନେ ଖୋଜୁଛନ୍ତି ମା’ର ମମତା ଓ ବାପାଙ୍କ ସ୍ନେହର ଛାଇ। ହେଲେ ସମୟ ସେମାନଙ୍କଠାରୁ ସବୁ କିଛି ଛଡାଇ ନେଇଛି। ଆଜି ସେମାନଙ୍କ ପାଇଁ ଭବିଷ୍ୟତ ଏକ ଅନିଶ୍ଚିତ ମରୀଚିକା ପରି ଲାଗୁଚି। ପାଠ ପଢା, ଦୁଇ ମୁଠା ଖାଦ୍ୟ ଓ ମୁଣ୍ଡ ଉପରେ ଛାତ ଭଳି ମୌଳିକ ସପ୍ନଗୁଡିକ ମଧ୍ୟ ସେମାନଙ୍କ ପାଇଁ ଆଜି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୀରବ ରାତିରେ ବୋଧହୁଏ ସେମାନଙ୍କ ଛୋଟ ଛୋଟ ହୃଦୟରୁ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥିବ, ଆମର ଦୋଷ କଣ ଥିଲା? କାହିଁକି ଆମ ମୁଣ୍ଡ ଉପରୁ ବାପା ମା ଙ୍କ ସ୍ନେହର ଆକାଶ ହଠାତ୍ ଉଭେଇ ଗଲା? ଏହାକୁ ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ। କିନ୍ତୁ ସେମାନଙ୍କ ଲୁହ ଭିଜା ଆଖି ଓ କୋହ ଭରା କଣ୍ଠ ସ୍ୱର ଆଜି ସମଗ୍ର ଅଞ୍ଚଳର ବିବେକକୁ ଦୋହଲାଇ ଦେଇଛି। ବର୍ତ୍ତମାନ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଗୋଟିଏ ମାତ୍ର ଆଶା, ସରକାର ପ୍ରଶାସନ ଏହି ଚାରି ଅନାଥ ଶିଶୁଙ୍କ ପ୍ରତି ସହାନୁଭୂତିର ହାତ ବଢାନ୍ତୁ। ସେମାନଙ୍କ ପାଠ ପଢା, ଭରଣପୋଷଣ ଓ ଭବିଷ୍ୟତ ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ। କାରଣ ଏହି ଶିଶୁ ମାନେ କେବଳ ଚାରୋଟି ଅନାଥ ମୁଁହ ନୁହଁନ୍ତି ସେମାନେ ଆଗାମୀ ଦିନର ନାଗରିକ, ଦେଶର ଭବିଷ୍ୟତ। ସେମାନଙ୍କ ସପ୍ନ ଭାଙ୍ଗିଗଲେ ଚାରୋଟି ପରିବାର ନୁହେଁ ସମାଜର ଏକ ଅଂଶ ଅନ୍ଧକାରରେ ହଜିଯିବ। ଆଜି ସେହି କୋମଳମତି ଶିଶୁମାନଙ୍କ ଲୁହ ଭିଜା ଆଖି ସରକାର ଓ ସମାଜକୁ ଏକ ନୀରବ ଆହ୍ବାନ କରୁଛି, ଆମକୁ ସାହାରା ଦିଅନ୍ତୁ, ଆମେ ମଧ୍ୟ ବଞ୍ଚିବାକୁ ଚାହୁଁଛୁ, ଆମେ ମଧ୍ୟ ସପ୍ନ ଦେଖିବାକୁ ଚାହୁଁଛୁ।