ନୂଆଦିଲ୍ଲୀ, ୧୩/୦୯: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀରେ ୧୧ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ଓ ୧୦ ସହଯୋଗୀ ରାଷ୍ଟ୍ର ମୁଖ୍ୟମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଉପସ୍ଥିତି। ସାରା ବିଶ୍ୱର ନଜର ଥିଲା ଭାରତ-ଚୀନ-ରୁଷିଆ ମହାଶକ୍ତିଶାଳୀ ରାଷ୍ଟ୍ରର ଏକତ୍ର ଉପରେ।
ତେବେ ଗତ କାଲି ପ୍ରଥମ ଦିନରେ ବିଶ୍ୱ ନେତାଙ୍କୁ ମଧ୍ୟ ଭବ୍ୟ ଆତିଥ୍ୟ ଯୋଗାଇ ଦେଇଥିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଗାଲା ଡିନର (ରାତ୍ର ଭୋଜନ)ର ଆୟୋଜନ କରିଥିଲେ। ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଇରାନ ରାଷ୍ଟ୍ରପତି ମାସୁଦ୍ ପେଜେଶକିଆନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବ୍ଦେଲ୍ ଫତାହ ଅଲ୍-ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ, ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ୍, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ ପ୍ରମୁଖ ଯୋଗ ଦେଇଥିଲେ। ବ୍ରାଜିଲ୍ର ରାଷ୍ଟ୍ରପତି ଲୁଲା ଦା ସିଲ୍ଭା ନିଜେ ଆସିନଥିଲେ। ତେଣୁ ତାଙ୍କ ପକ୍ଷରୁ ବିଦେଶମନ୍ତ୍ରୀ ମାଉରୋ ଭିଏରା ଯୋଗ ଦେଇଥିଲେ।
କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ଏହି ଗାଲା ଡିନରରେ ଯୋଗ ଦେଇନଥିଲେ। ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ସମ୍ମିଳନୀର କାର୍ଯ୍ୟକ୍ରମ ପରେ ନିଜ ଦେଶକୁ ଫେରିଯାଇଥିଲେ ବୋଲି ସୂଚନା ମିଳିଛି। କିନ୍ତୁ ସେ କାହିଁକି ଡିନରରେ ଯୋଗ ଦେଇନଥିଲେ, ସେ ନେଇ ଅଫିସିଆଲି କିଛି ସୂଚନା ମିଳିନଥିବା ବେଳେ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ, ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ସେ ତାଙ୍କ ହୋଟେଲ ରୁମକୁ ବିଶ୍ରାମ ନେବା ପାଇଁ ଚାଲି ଯାଇଥିଲେ।ତାଙ୍କ ପକ୍ଷରୁ ଚୀନ୍ର ବିଦେଶମନ୍ତ୍ରୀ ୱାଙ୍ଗ୍ ୟି ଡିନରରେ ଯୋଗ ଦେଇଥିଲେ।
ଚୀନ୍ ରାଷ୍ଟ୍ରପତି ଶନିବାର ଅପରାହ୍ନରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ, ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ। ସେ ଶନିବାର ସକାଳେ ଚୀନରୁ ବାହାରି ମଧ୍ୟାହ୍ନ ସମୟରେ ଦିଲ୍ଲୀରେ ପହଞ୍ଚିଥିଲେ।
ରାତ୍ରୀଭୋଜନରେ ଯୋଗ ଦେଇଥିବା ଭାରତୀୟ ମନ୍ତ୍ରୀ ଓ ନେତା:
ରାତ୍ରୀଭୋଜନରେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାମିଲ ଥିଲେ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ସଂସଦ ଭବନରୁ ଭାରତ ମଣ୍ଡପମରେ ରାତ୍ରୀଭୋଜନ ସ୍ଥାନକୁ ଦୁଇଟି ବସ୍ ଯୋଗେ ଯାତ୍ରା କରିଥିଲେ।
ରାତ୍ରୀଭୋଜନରେ ସାମିଲ ଥିବା ଖାଦ୍ୟ ତାଲିକା:
ଡିନର ପାର୍ଟିରେ ବ୍ରିକ୍ସ ନେତାଙ୍କୁ ସମ୍ପୂର୍ଣ୍ଣ ଭାରତୀୟ ଖାଦ୍ୟ ପରଷା ଯାଇଥିଲା। ଷ୍ଟାର୍ଟରରେ ଖାଣ୍ଡବି ଓ ଖୁମ୍ଭ ଗଲୌଟି, ମୁଖ୍ୟ ମେନ୍ୟୁରେ ପନିର ଲବାବଦାର, ମିଲେଟ ପଲାଉ, ଗୁଚ୍ଛି ମାର୍ମିକ, ଗାଜର-ବିନ୍ସ ପୋରିୟାଲ, ମାଣ୍ଡିଆ ପୁଲାଓ ହୋଇଥିଲା। ସେହିପରି ମିଠାରେ ଓଲ୍ଡ ଦିଲ୍ଲୀ ଫ୍ରୁଟ୍ କ୍ରିମ୍ ସହ ଜଲେବି ଓ ଶାହତୁତ୍ ଫିର୍ନି ହୋଇଥିଲା।