ଦଶପଲ୍ଲା, ୩୧/୦୫: ବାଣିଗୋଛା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗଦଡ଼ି ଗ୍ରାମର ବେଡ଼ା ବିନ୍ଧାଣୀଙ୍କ ପୁଅ ସଞ୍ଜୟ ବିନ୍ଧାଣୀ ଏକ ନମ୍ବର ବିହୀନ ଆପାଚି ମୋଟର ସାଇକେଲ ଯୋଗେ ଫିରିଙ୍ଗିଆରୁ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ନେଇ ଯାଉଥିଲେ। ତେବେ ବାଣିଗୋଛା ଥାନା ଅଧିକାରୀ ଦିଲ୍ଲୀପ କୁମାର ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଟିମ୍ ଗଣ୍ଡାପାଜୁ ଛକ ନିକଟରେ ସନ୍ଦେହଜନକ ଭାବେ ଗତି କରୁଥିବା ଏହି ବାଇକ୍କୁ ଅଟକାଇଥିଲେ।
ଯାଞ୍ଚ ସମୟରେ ମୋଟର ସାଇକେଲରୁ ୬ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଇ ସମେତ ନମ୍ବର ପ୍ଲେଟ ନଥିବା ଆପାଚି ବାଇକ୍କୁ ଜବତ କରିବା ସହ ସଞ୍ଜୟ ବିନ୍ଧାଣୀକୁ ଗିରଫ କରିଛି। ଏହି ମାମଲାରେ ବାଣିଗୋଛା ପୋଲିସ ଏକ କେସ୍ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।