ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ କେବଳ ପ୍ରଚାର ସର୍ବସ୍ୱ: ବିଜେଡି

ସିଙ୍ଗାପୁର ଗସ୍ତର ଫଳ ଶୂନ୍ୟ ଥିଲା ବେଳେ ୟୁଏଇ ଗସ୍ତକୁ ନେଇ ସଂଶୟ

ମିଛ ବିଜ୍ଞାପନ କରି ରାଜକୋଷର ଅର୍ଥ ଅପବ୍ୟୟ କରନ୍ତୁ ନାହିଁ, ଅଢେଇ ବର୍ଷରେ ଗ୍ରାଉଣ୍ଡରେ ପୁଞ୍ଜିନିବେଶ ଶୂନ

ଭୁବନେଶ୍ୱର, ୧୩/୦୯: ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୂଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତକୁ ଜୋରଦାର ପ୍ରଚାର ପ୍ରସାର ହେଉଛି । ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଖର୍ଚ୍ଚ ଅନୂଯାୟୀ ଓଡ଼ିଶାକୁ ସମପରିମାଣର ପୁଞ୍ଜି ଆସିବକି ନାହିଁ, ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ.ଲେନିନ ମହାନ୍ତି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଡ଼. ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୟୁଏଇ ଗସ୍ତ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଓଡ଼ିଶାରେ ଅନେକ ପୁଞ୍ଜି ନିବେଶ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚାର ପ୍ରସାର ଜୋରଦାର ହେଉଛି । ଦୈନିକ ଖବରକାଗଜ ମାନଙ୍କରେ ବଡ଼ ବଡ଼ ବିଜ୍ଞାପନ ଜରିଆରେ ପ୍ରଥମ ପୃଷ୍ଠା ମଣ୍ଡନ କରି ପ୍ରଚାର ପ୍ରସାର ହେଉଥିବା ବେଳେ ବିଜେଡି ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନ ବାବଦରେ ରାଜ୍ୟ ସରକାର ଚୁପ ରହିଛନ୍ତି କଣ ପାଇଁ । ଆଦାନୀ ଗ୍ରୁପ୍ ଓ ଆଇଏଚଏସ ସହିତ ଏମ୍ଓୟୁ ସ୍ୱାକ୍ଷର କରିବା ପାଇଁ ମୁଖ୍ୟମନ୍ତ୍ରୀ ୟୁଏଇ ଗସ୍ତରେ ଯାଇଥିଲେ । ତାହା ପୂର୍ବରୁ ଉକ୍ରର୍ଷ ଓଡ଼ିଶା-୨୦୨୫ରେ ଏମ୍ଓୟୁ ସ୍ୱାକ୍ଷରିତ ହେବାର ଅଂଶ ବିଶେଷ । ତେବେ ଉକ୍ତ ଦୁଇଟି ଏମ୍ଓୟୁ ସ୍ୱାକ୍ଷର କରିବା ମଧ୍ୟରେ ସାମଞ୍ଜସ୍ୟ କଣ ରହିଛି ବୋଲି ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି । ଭାରତର ଗୋଟିଏ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଦେଶ ବାହାରକୁ ଯିବାର କାରଣ କଣ ବୋଲି ବିଜେଡି ପ୍ରଶ୍ନ କରିଛି । ଚୁକ୍ତିରେ କଣ ନୂଆ ଓ କଣ ସବୁ ପୁରୁଣା ତଥ୍ୟ ରହିଛି । ତାହାକୁ ସର୍ବସାଧାରଣରେ ବିବୃତ୍ତି ପ୍ରଦାନ କରିବାର ଆବଶ୍ୟକତା ରହିଛି । ରାଜ୍ୟରେ ବିଜେପି ସରକାର ଗଠନ ହେବାର ୨ବର୍ଷ ୬ମାସ ହେଲାଣି । ରାଜ୍ୟ ସରକାର ୨୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶା ପାଈଁ ଆଣିଛନ୍ତି ବୋଲି ବାରମ୍ବାର କହିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ଆଗରେ ରହିଛି ବୋଲି ବିଜେପି ସରକାର ବାରମ୍ବାର ବାହାସ୍ପୋଟ୍ ମାରୁଛନ୍ତି । କିନ୍ତୁ ଗ୍ରାଉଣ୍ଡରେ ପୁଞ୍ଜି ନିବେଶ ଶୂନ୍ୟ ରହିଛି । କେବଳ ୩ଲକ୍ଷ କୋଟି ଟଙ୍କାର ଇଣ୍ଟେଣ୍ଟ ଆସିଛି । ରାଜ୍ୟରେ ପ୍ରାୟ ୫୦ଟି କ୍ଷୁଦ୍ର, ମଧ୍ୟମଧରଣର ଉଦ୍ୟୋଗ ଆଦି ନିଜର ପ୍ରାରମ୍ଭିକ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ତାହା ବିଶେଷ ଅଗ୍ରଗତି ହୋଇନାହିଁ । ଯାହାକୁ ନେଇ ଓଡ଼ିଶାରେ ଚାକିରି ସୁଯୋଗ ସୃଷ୍ଟି ହୋଇପାରିନାହିଁ । ଯାହା ଫଳରେ ବେକାର ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଯଦି ପୁଞ୍ଜି ନିବେଶ ରହିଛି ସେ ପରିମାଣର ନିଯୁକ୍ତି ସୁଯୋଗ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାର ୟୁଏଇ ଗସ୍ତକୁ ନେଇ ଯେଉଁ ହିସାବରେ ପ୍ରଚାର ପ୍ରସାରରେ ଖର୍ଚ୍ଚ କରିଛନ୍ତି । ସେତିକି ଟଙ୍କାର ପୁଞ୍ଜି ନିବେଶ ଓ ଲାଭ ଓଡ଼ିଶାକୁ ଆସିବ ତ? ନା ଏହା କେବଳ ଏକ ବୁଲାବୁଲି କାର୍ଯ୍ୟକ୍ରମରେ ସୀମିତ ରହିଯିବ? ବୋଲି ପ୍ରଶ୍ନ କରିଛନ୍ତି । ଡବଲ ଇଞ୍ଜିନ ସରକାର ଫେଲ ମାରିଥିବା ବେଳେ କେବଳ ଘୋଷଣା ଓ ବଡ ବଡ କଥା କହିବାରେ ସୀମିତ ରହିଛି । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଶୂନ୍ୟ ରହିଛନ୍ତି । ଆଦାନୀ ଗ୍ରୁପ ସହ ଓଡ଼ିଶା କିମ୍ୱା ଭାରତରେ ଚୁକ୍ତି ସ୍ୱାକ୍ଷର ହୋଇ ପାରିଥାଆନ୍ତା । ତେବେ କେଉଁ କାରଣ ପାଇଁ ୟୁଏଇ ଯିବାକୁ ପଡ଼ିଲା ବୋଲି ସରକାର ତାହା ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର କଥା ନଲୁଚାଇ ପୁଞ୍ଜି ନିବେଶର ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରନ୍ତୁ । ଡବଲ ଇଞ୍ଜିନ ସରକାର ଏନେଇ ସତ ସାହାସର ସହିତ ସମ୍ପୂର୍ଣ୍ଣ ତଥ୍ୟର ବିବୃତ୍ତି ସର୍ବସାଧାରଣରେ ପ୍ରଦାନ କରନ୍ତୁ । ବିଜ୍ଞାପନ ଜରିଆରେ ରାଜକୋଷର ଅର୍ଥର ଅପବ୍ୟୟ କରନ୍ତୁ ନାହିଁ ବୋଲି ଡ. ମହାନ୍ତି କହିଛନ୍ତି ।