କରୋନା ପରେ ମୁମ୍ବାଇରେ ବ୍ୟାପୁଛି ମିଳିମିଳା, କେନ୍ଦ୍ର ସରକାର ପଠାଇଲେ ଉଚ୍ଚସ୍ତରୀୟ ଟିମ୍‌

ମୁମ୍ବାଇ ୧୦୧।୧୧: ଦେଶରେ କରୋନା ବ୍ୟାପିବା ଯୋଗୁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା। କରୋନାର ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସୁଥିଲା। ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ହେଲେ ଏକ ନୂଆ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ମୁମ୍ବାଇର କେତେକ ଅଞ୍ଚଳରେ ଗତ କିଛି ମାସ ହେଲା ମିଳିମିଳା କାୟା ବିସ୍ତାର କରିବାରେ ଲାଗିଛି। ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ବିଏମସି ସତର୍କତା ଅବଲମ୍ବନ କରୁଛନ୍ତି।

ମୁମ୍ବାଇରେ ମିଳିମିଳା ମାମଲା ବେଶ୍ ବୃଦ୍ଧି ହୋଇଛି। ଜାନୁୟାରୀ ୨୦୨୨ରୁ ନଭେମ୍ବର ୨୦୨୨ ମଧ୍ୟରେ ପ୍ରାୟ ୭୪ଟି ମାମଲା ସାମ୍ନାକୁ ଆସିଛି। ଗତ କିଛିମାସ ହେଲା ମାମଲା ସଂଖ୍ୟା ବଢିବାରେ ଲାଗିଛି। ଏଣୁ ବିଏମସି ମହାନଗର ଅଞ୍ଚଳରେ ସଚେତନତା ଅଭିଯାନ ହାତକୁ ନେଇଛନ୍ତି। ପିଲାଙ୍କୁ ମିଳିମିଳାରୁ ରକ୍ଷା କରିବା ପାଇଁ ବିଏମସି ପ୍ରଭାବିତ ଅଞ୍ଚଳରେ ସ୍କ୍ରିନିଂ ଓ ସ୍କାନିଂ କରୁଛି। ବିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମଙ୍ଗଲା ଗୋମରେଙ୍କ ଅନୁସାରେ ମୁମ୍ବାଇରେ ଗତ କିଛି ସମୟ ହେଲା ମିଳିମିଳା ବ୍ୟାପୁଥିବା ଓ ଏଥିରେ ଏପର୍ଯ୍ୟନ୍ତ ଜଣକର ମୃତ୍ୟୁ ହୋଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତମାସରେ ଧରାବିରେ ମଧ୍ୟ ମିଳିମିଳାର ପ୍ରକୋପ ଦେଖିବାକୁ ମିଳିଥିଲା। ଏଠାରେ ମୋଟ ୬ଟି ମାମଲା ସାମ୍ନାକୁ ଆସିଥିଲା। ଧରାବି ବ୍ୟତୀତ ପୁରା ଅଞ୍ଚଳରେ ୧୨ରୁ ୧୫ ମାମଲା ସାମ୍ନାକୁ ଆସିଥିଲା। ଏଣୁ ଆମେ ମାମଲା ଉପରେ ନଜର ରଖିଥିବା ଏବଂ ୱାର୍ଡ ଅଧିକାରୀମାନଙ୍କୁ ସତର୍କ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।