ଟି-୨୦ ବିଶ୍ୱକପ: ପରାଜୟ ପାଇଁ ରୋହିତ ଶର୍ମାଙ୍କୁ ସମାଲୋଚନା କଲେ ସେହେୱାଗ୍

ମୁମ୍ବାଇ: ଗତକାଲି ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ ବଡ଼ କ୍ରିକେଟର ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଏ ବୋଲିଂକୁ ଦାୟୀ କରୁଥିବା ବେଳେ ଆଉ କିଏ ଓପନିଂ ବ୍ୟାଟିଂ ଲାଇନ୍‌କୁ ଓ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କୁ ଦାୟୀ କରୁଛନ୍ତି।

ଏହି କ୍ରମରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟର ବିରେନ୍ଦ୍ର ସେହେୱାଗ ମଧ୍ୟ ରୋହିତ ଶର୍ମାଙ୍କୁ ସମାଲୋଚନା କରିଛନ୍ତି। ଗତକାଲିର ପରାଜୟ ପାଇଁ ରୋହିତ ବୋଲରକୁ ଦାୟୀ କରିବାକୁ ପରେ ପ୍ରଥମ ୧୦ ଓଭର ମ୍ୟାଚ୍ ହରାଇଲା ବୋଲି ସେହେୱାଗ କହିଛନ୍ତି।

ଗତକାଲି ମ୍ୟାଚ୍ ହାରିବା ପରେ ପ୍ରତିକ୍ରିୟା ଦେଇ ବୋଲରଙ୍କ ଖରାପ ପ୍ରଦର୍ଶନକୁ ଦାୟୀ କରିଥିଲେ ରୋହିତ ଶର୍ମା। ବୋଲରମାନେ ନିଜ କାରନାମା ଦେଖାଇପାରିଲେ ନାହିଁ ବୋଲି ରୋହିତ କହିଥିଲେ। ଯାହାକୁ ସୋସିଆଲ୍ ମିଡିଆରେ ସମାଲୋଚନା କରିଥିଲେ ଫ୍ୟାନ୍। ସେହୱାଗ ମଧ୍ୟ ସମାନ ଏହି ମନ୍ତବ୍ୟର ସମାଲୋଚନା କରିଛନ୍ତି।

କ୍ରିକବଜକୁ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି ଯେ ଟପ୍‌ ଅର୍ଡର ଫେଲ୍ ମାରିବା ମ୍ୟାଚ୍ ହାରିବାର ମୂଳ କାରଣ। ବୋଲରଙ୍କୁ ସମାଲୋଚନା କରିବାରେ ସେ ସହମତ ନୁହଁନ୍ତି ବୋଲି ସେହୱାଗ କହିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଏନେଇ ଖବର ପ୍ରକାଶ କରିଛି। ପ୍ରଥମ ୧୦ ଓଭର ମ୍ୟାଚ୍ ହରାଇଲା ବୋଲି ସେହୱାଗ୍ କହିଛନ୍ତି।

ସେ କହିଛନ୍ତି “ଯଦି ଟପ ଅର୍ଡର ୧୨ ଓଭର ବ୍ୟାଟିଂ କରି ୮୨ ରନ୍ କରୁଛନ୍ତି ତେବେ ବାକି ବ୍ୟାଟର ୮ ଓଭରରେ ୧୦୦ ପିଟିଦେବେ ବୋଲି ଆଶା କରିବା ଠିକ ନୁହେଁ।”