ଓଡ଼ିଶା-ଛତିଶଗଡ଼ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ କମ୍ବିଂ ଅପରେସନ ଜାରି
ମାଲକାନଗିରି, ୦୯/୦୬: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କିରମିଟି ଓ କାଟୁଆପଦର ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ଓ ବିଏସଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍ ସମୟରେ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଜବତ କରାଯାଇଛି।
ଜବତ ସାମଗ୍ରୀ ମଧ୍ୟରେ ୧ଟି INSAS LMG, ୨ଟି INSAS ରାଇଫଲ, ୧ କେଜିର ୨ଟି IED (Tiffin Bomb), ୮କେଜିର ୧ଟି IED, ୧ଟି ଗ୍ରେନେଡ୍, ୧୮ଟି ଡେଟୋନେଟର, ଏକେ ମ୍ୟାଗାଜିନ୍, ୱାୟାରଲେସ୍ ରିମୋଟ୍ ସୁଇଚ୍, ୱାକି-ଟକି, ସୋଲାର ପ୍ଲେଟ୍, ବିଦ୍ୟୁତ ତାର, ରୁଟ୍ସ ଡିଭାଇସ୍, ପ୍ରିଣ୍ଟର କାର୍ଟ୍ରିଜ୍, ଡିସ୍ପୋଜେବଲ୍ ସିରିଞ୍ଜ, ବଣ୍ଡଲ୍ ଗଜ୍ ଓ କପା, ପଲିଥିନ ଟେଣ୍ଟ, ଖାଲିଥିବା ଡେଟୋନେଟର କ୍ୟାପ୍, କ୍ରାକର, ଗନପାଉଡର, କୋଡେକ୍ସ ତାର, କେଜି ସ୍ପ୍ଲିଣ୍ଟର, ସାଲାଇନ୍ ବୋତଲ, ସାଲାଇନ୍ ପାଇପ୍ ସମେତ ଅନ୍ୟାନ୍ୟ ଉପକରଣ ରହିଛି।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ସମସ୍ତ ସାମଗ୍ରୀ (AOBSZC)ର ମାଓବାଦୀ କ୍ୟାଡରମାନଙ୍କର ହୋଇଥାଇପାରେ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଉଛି। । ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକକୁ ସାଧାରଣ ନାଗରିକ ଏବଂ ସୁରକ୍ଷାବାହିନୀଙ୍କ ବିରୋଧରେ ଆକ୍ରମଣ ତଥା ବିଧ୍ୱଂସକାରୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବାର ଯୋଜନା ଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ଓଡ଼ିଶାକୁ ମାଓମୁକ୍ତ କରିବା ଏବଂ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଅପରେସନ୍ ଜାରି ରହିବ ।