ସହରାଞ୍ଚଳର ଦୁର୍ବଳ ବର୍ଗଙ୍କ ସଶକ୍ତିକରଣରେ ‘ସହଯୋଗ’

ବିଭିନ୍ନ ଫ୍ରଣ୍ଟଲାଇନ୍ କର୍ମୀଙ୍କ ପାଇଁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୧୦/୦୬: ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗରେ ‘ସହଯୋଗ’ କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ହଜାର ହଜାର ପରିବାର ବିଭିନ୍ନ ସରକାରୀ ସେବା ଓ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ୍ ଏକାଡେମୀରେ ‘ସହଯୋଗ’ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଫ୍ରଣ୍ଟଲାଇନ୍ କର୍ମୀଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ଏହି ଅବସରରେ ‘ସହଯୋଗ’ ସର୍ଭେ ସମୟରେ ସାଧାରଣତଃ ପଚରାଯାଉଥିବା ପ୍ରଶ୍ନ ଓ ସେଗୁଡ଼ିକର ଉତ୍ତର ସମ୍ବଳିତ FAQ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ‘ସହଯୋଗ’ କାର୍ଯ୍ୟକ୍ରମ କେବଳ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାରେ ସୀମିତ ନୁହେଁ, ବରଂ ସହରାଞ୍ଚଳର ଦୁର୍ବଳ ବର୍ଗର ଜୀବନମାନରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ସେତୁ ଭାବେ କାର୍ଯ୍ୟ କରୁଛି। ତୃଣମୂଳ ସ୍ତରରେ କାର୍ଯ୍ୟରତ ସ୍ୱଚ୍ଛସାଥୀ, ଏସ୍.ଏ.ଜି. ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ସଦସ୍ୟମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ।

କର୍ମଶାଳାରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରୁ ଆସିଥିବା ସ୍ୱଚ୍ଛସାଥୀ, ଏସ୍.ଏ.ଜି. ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ କାର୍ଯ୍ୟକ୍ରମର ପ୍ରଭାବ ଓ ଅନୁଭୂତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ସମ୍ପର୍କରେ ସେମାନେ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୌରଭ ରାୟ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଶତୃଘ୍ନ କର ଏବଂ ‘ସହଯୋଗ’ କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀ ସୌରିନ୍ଧ୍ର ରାଉତରାୟ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଅଗ୍ରଗତି ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଫ୍ରଣ୍ଟଲାଇନ୍ କର୍ମୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା ଓ ପରାମର୍ଶକୁ ଗୁରୁତ୍ୱର ସହ ବିଚାର କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀମତୀ ପାଢୀ ନିର୍ଦ୍ଦେଶ ଦେଇଥିଲେ।

ଏହି କର୍ମଶାଳାରେ ‘ସହଯୋଗ’ ରାଜ୍ୟ ମୁଖ୍ୟାଳୟର ଶ୍ରୀ ଶିଶିର ରଞ୍ଜନ ଦାଶଙ୍କ ସମେତ ବିଭିନ୍ନ ପୌରାଞ୍ଚଳର ପ୍ରତିନିଧି ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।