ଜଳିଗଲା ସେନା ହେଲିକପ୍ଟର, କେହି ଜଣେ ବି ବଞ୍ଚିଲେନି

ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଡ଼ ଦୁର୍ଘଟଣା

ମୁଜାଫରପୁର, ୧୦/୦୬: ବୁଧବାର ଦିନ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ଏକ ପାକିସ୍ତାନ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବଡ଼ ସାମରିକ ଦୁର୍ଘଟଣା ମଧ୍ୟରୁ ଗୋଟିଏ।

ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) କହିଛି ଯେ Mi-17 ହେଲିକପ୍ଟରଟି ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଖସି ପଡ଼ିଥିଲା। ଏଥିରେ କେହି ବଞ୍ଚି ନାହାନ୍ତି। ପାକିସ୍ତାନର ଡନ୍ ଖବରକାଗଜ ଅନୁଯାୟୀ, “ହେଲିକପ୍ଟରରେ ଥିବା ସମସ୍ତ କ୍ୟୁ ମେମ୍ବରଙ୍କ ମୃତ୍ୟୁ ହୋଇଛି।”

ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାର ସଠିକ୍ ବୈଷୟିକ କାରଣ ଜାଣିବା ପାଇଁ ଏକ ତଦନ୍ତ ବୋର୍ଡ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦୁର୍ଘଟଣା ସମୟରେ ବିମାନରେ କେତେ କର୍ମଚାରୀ ଥିଲେ ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି। କିନ୍ତୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

ଏହି ଦୁର୍ଘଟଣା ପରେ ପାକିସ୍ତାନର ପ୍ରତିରକ୍ଷା ବାହିନୀ ମୁଖ୍ୟ ଏବଂ ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର, ସାମରିକ କର୍ମଚାରୀଙ୍କ ସହିତ ମିଶି ଶୋକ ପ୍ରକାଶ କରିଛନ୍ତି।