ଭୁବନେଶ୍ୱର, ୧୦/୦୬: ହାଇ-ଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ର କର୍ଣ୍ଣ,ନାଶା.ଗଳା ବିଭାଗ ଗୁରୁତର ଶ୍ରବଣ ଶକ୍ତି ହରାଇଥିବା ପିଲାମାନଙ୍କର ଶ୍ରବଣ ଏବଂ ଯୋଗାଯୋଗ କ୍ଷମତାର ପୁନରୁଦ୍ଧାର କରିବା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛି। ବିଗତ ଏକ ବର୍ଷ ମଧ୍ୟରେ, ହସ୍ପିଟାଲ୍ ସଫଳତାର ସହ ୧୦ଟି କକ୍ଲିୟର ଇମ୍ପ୍ଲାଣ୍ଟ ସର୍ଜରୀ ସମ୍ପନ୍ନ କରିଛି, ଯାହା ଶ୍ରବଣ ବାଧିତ ଶିଶୁମାନଙ୍କ ପାଇଁ ଏକ ନୂତନ ଆଶା ଏବଂ ଉନ୍ନତ ଜୀବନଶୈଳୀ ଆଣିଦେଇଛି। ସର୍ଜରୀ ଏବଂ ସମର୍ପିତ ପୁନର୍ବାସ ପରେ, ସମସ୍ତ ଶିଶୁ ଏବେ ସଫଳତାର ସହ ଶବ୍ଦ ଶୁଣିବାକୁ ସକ୍ଷମ ହେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରୁ ପ୍ରଦତ୍ତ ଅର୍ଥ ସହ ହାଇଟେକ୍ ମେଡିକାଲ୍ କଲେଜ୍ ପକ୍ଷରୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ ଏହି ଅସ୍ତ୍ରୋପଚାର କରାଯାଉଛି। ଯାହାଦ୍ବାରା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାରଗୁଡ଼ିକ ଉପରୁ ଆର୍ଥିକ ବୋଝକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିପାରିଛି। ଖୁବ୍ କମମୂଲ୍ୟରେ ଏଭଳି ବିରଳ ଓ ବ୍ୟୟବହୁଳ ଅସ୍ତ୍ରୋପଚାର ହୋଇପାରୁଛି। ହାଇଟେକ୍ ଗ୍ରୁପ୍ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ , କଥା କହିପାରୁନଥିବା ଓ ଶୁଣିପାରୁନଥିବା ପିଲାଙ୍କ ପାଇଁ ସେମାନଙ୍କ ପରିବାର ଚିନ୍ତିତ ଥିବା ବେଳେ, ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ ଏଭଳି ପିଲାଙ୍କ ଅସ୍ତ୍ରୋପଚାର କରି ଏକ ନୂତନ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିପାରିଛି। ଆସନ୍ତାଦିନରେ ମଧ୍ୟ ହାଇଟେକ୍ ହସପିଟାଲ ଏଭଳି ପିଲାଙ୍କ ଅସ୍ତ୍ରୋପଚାର କରି ସେମାନଙ୍କ ପରିବାରରେ ପୁଣି ହସ ଫୁଟାଇବା ଦାୟୀତ୍ବ ନେଇଛି ସେହିପରି ହାଇଟେକ୍ ଗ୍ରୁପ୍ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀଙ୍କ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୦ଟି ପିଲାଙ୍କ ସଫଳ ଅସ୍ତ୍ରୋପଚାର ହୋଇସାରିଛି। ଆସନ୍ତା ଦିନରେ ଏଭଳି ଅସ୍ତ୍ରୋପଚାର ଜାରି ରହିବ ବୋଲି ସେ କହିଥିଲେ। କର୍ଣ୍ଣ,ନାଶା ଓ ଗଳା ରୋଗ ବିଭାଗର ବିଭାଗୀୟମୁଖ୍ୟ ପ୍ରଫେସର ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କ କହିବା ହେଲା,ଏଭଳି ଅସ୍ତ୍ରୋପଚାର ରାଜ୍ୟର ଅନ୍ୟ ଡାକ୍ତରଖାନା ଗୁଡିକ କରୁନଥିବା ବେଳେ, ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଓ ପୃଷ୍ଠପୋଷକତାରେ ଏହି ଅସ୍ତ୍ରୋପଚାର କରାଯାଉଛି। ଆସନ୍ତାଦିନରେ ମଧ୍ୟ ଏହା ଜାରି ରହିବ, ସେହିପରି ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର କହିଥିଲେ ଯେ, ଆସନ୍ତାଦିନରେ ଏଭଳି ଅସ୍ତ୍ରୋପଚାର କରି ହାଇଟେକ୍ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବ। କାର୍ଯ୍ୟକ୍ରମରେ କକ୍ଲିୟର ଇମ୍ଫ୍ଲାଣ୍ଟ କରାଯାଇଥିବା ୧୦ଜଣ ପିଲାଙ୍କ ସହ ସେମାନଙ୍କ ପିତାମାତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ହାଇଟେକ୍ ମେଡିକାଲ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ନିର୍ଦ୍ଦେଶକ ଜେନାରାଲ୍ ସର୍ଜରୀ ଡାକ୍ତର ଅଶୋକ ଆଚାର୍ଯ୍ୟ, ପ୍ରାଶାସନିକ ଅଧିକାରୀ ଗୋପେଶ୍ବର ଆଚାର୍ଯ୍ୟ,ବହୁ ବରିଷ୍ଠ ଡାକ୍ତର,ପିଜିଛାତ୍ର,ୟୁଜି ଛାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।