ନରେନ୍ଦ୍ର ମୋଦୀ ସବୁଠୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ହେବା ଅବସରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ ହୌଜ୍ ଖାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ, ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୧୨ ବର୍ଷ ଧରି ସେବା ଓ ସମର୍ପଣର ମହାନ କୀର୍ତିମାନ ସ୍ଥାପନ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୧୦/୦୬: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବା ନିର୍ବାଚିତ ଶାସନ ମୁଖ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭାବେ ସେ କ୍ରମାଗତ ୧୨ ବର୍ଷ ବା ୪,୩୯୯ ଦିନ ପୂରଣ କରିଥିବା ବେଳେ ତାଙ୍କ ନେତୃତ୍ବାଧୀନ ସରକାର ୧୩ଶ ବର୍ଷରେ ବର୍ଷରେ ଅଗ୍ରସର ହେଉଛନ୍ତି । ଏହି ଗୌରବମୟ ତଥା ଐତିହାସିକ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ହୌଜ ଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ପ୍ରାର୍ଥନା କରିଛନ୍ତି ।

ଏହି ଅବସରରେ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଦିନରାତି ଏକ କରି ଅକଥନୀୟ ପରିଶ୍ରମ ମାଧ୍ୟମରେ ଦେଶର ଗରିବ, ମହିଳା, ଯୁବକ ଓ କୃଷକମାନଙ୍କ କଲ୍ୟାଣ କରିବା ସହ ଦେଶର ସର୍ବାଙ୍ଗୀନ ବିକାଶ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଛି । ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଓ ଅନୁଗାମୀ । ତାଙ୍କର ସାମାଜିକ ଜୀବନ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଗଢ଼ି ଉଠିଛି । ବହୁ ବର୍ଷ ପୂର୍ବେ ଅହମ୍ମଦାବାଦର ଶ୍ରୀ ଜଗନ୍ନାଥ ମନ୍ଦିରରୁ ହିଁ ସେ ନିଜର ସାମାଜିକ ଜୀବନର ଯାତ୍ରା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଯେ ଯେତେବେଳେ ଓଡ଼ିଶା ଯିବାର ସୁଯୋଗ ପାଇଛନ୍ତି, ମହାପ୍ରଭୁଙ୍କ ଶରଣାପନ୍ନ ଆଶୀର୍ବାଦ ଭିକ୍ଷା କରିବାକୁ କେବେ ହେଲେ ଭୁଲିନାହାନ୍ତି ।

ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରାର୍ଥନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପା ସମଗ୍ର ଦେଶବାସୀଙ୍କ ଉପରେ ରହିଛି ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ବଜାୟ ରହୁ । ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ବରେ ଆମ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ବକୁ ସଫଳତାର ସହ ଆଗକୁ ବଢ଼ୁ । ତାଙ୍କ ନେତୃତ୍ବରେ ୨୦୪୭ ସୁଦ୍ଧା ଭାରତ ଆହୁରି ବିକଶିତ, ସମୃଦ୍ଧ ଓ ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି।