ଓଡ଼ିଶା ଫୁଡ୍, ଏଗ୍ରି ଆଣ୍ଡ ବାୟୋଟେକ୍ (FAB) ସମ୍ମିଟ ୨୦୨୬କୁ ଉଦଘାଟନ କଲେ ରାଜ୍ୟପାଳ

ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, ୧୦/୦୬: ଯୁବପିଢି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ଓଡ଼ିଶାର ମାନ୍ୟବର ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି।

ମଙ୍ଗଳବାର ଦିନ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ପରିସରରେ ଇଣ୍ଡିଆନ ଚେମ୍ବର ଅଫ କମର୍ସ (ଆଇସିସି) ଓ ଓୟୁଏଟି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଫୁଡ୍, ଏଗ୍ରି ଆଣ୍ଡ ବାୟୋଟେକ (FAB) ସମ୍ମିଟ ୨୦୨୬ କୁ ଉଦଘାଟନ କରି ରାଜ୍ୟପାଳ ଉଦବୋଧନ ଦେଇ କହିଥିଲେ ଯେ, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଓ ସମସ୍ୟା ସମାଧାନକାରୀଙ୍କ ହାତରେ ଅଛି।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଆଜିର କୃଷି ପାରମ୍ପରିକ ଚାଷବାସରେ ସୀମିତ ନୁହେଁ। ଏଥିରେ ଏଗ୍ରିବିଜନେସ୍, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋଟେକ୍ନୋଲୋଜି, ଫାର୍ମ ମେକାନାଇଜେସନ୍, ଡିଜିଟାଲ୍ ଏଗ୍ରିକଲ୍ଚର୍, ଏଗ୍ରି-ଷ୍ଟାର୍ଟଅପ୍, ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ ଓ ଭାଲ୍ୟୁ ଏଡେଡ୍ ଉଦ୍ୟୋଗ ଭଳି ଅନେକ ଉତ୍ସାହଜନକ ସୁଯୋଗ ରହିଛି I ଏ ଦିଗରେ ଯୁବକ-ଯୁବତୀମାନଙ୍କୁ ଏହି ନୂତନ କ୍ଷେତ୍ରଗୁଡ଼ିକୁ ବ୍ୟବହାର କରି ରୋଜଗାର ସୃଷ୍ଟି ଓ ସମ୍ପଦ ନିର୍ମାଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ମାନ୍ୟବର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା ନାଇଡୁଙ୍କ ଉକ୍ତିକୁ ଉଦ୍ଧୃତ କରି ରାଜ୍ୟପାଳ କହିଥିଲେ ଯେ, କୃଷି ହେଉଛି ଆମ ଦେଶର ପ୍ରକୃତ ସଂସ୍କୃତି I ଏହା ଦେଶର ଆର୍ଥିକ ଓ ସାମାଜିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟପାଳ କହିଥିଲେ।

ସଠିକ ଫାର୍ମିଂ, ଜଳବାୟୁ ସହିଷ୍ଣୁ କୃଷି, ବାୟୋଟେକ୍ନୋଲୋଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡିଜିଟାଲ୍ ପ୍ଲାଟଫର୍ମ ଓ ଦକ୍ଷ ସପ୍ଲାଏ ଚେନ୍ ଭଳି ବୈଜ୍ଞାନିକ ଉଦ୍ଭାବନଗୁଡ଼ିକୁ କୃଷି ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ କରିବା ଉପରେ ରାଜ୍ୟପାଳ ଜୋର ଦେଇଥିଲେ। ଏହା ଦ୍ୱାରା ଉତ୍ପାଦନ, ସ୍ଥାୟୀତ୍ୱ ଓ କୃଷକଙ୍କ ଆୟ ବୃଦ୍ଧି ହେବ ବୋଲି ରାଜ୍ୟପାଳ କହିଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବିଶେଷକରି ମୁଦ୍ରା ଯୋଜନା ସମ୍ବନ୍ଧରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଷ୍ଟାର୍ଟଅପ୍, ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନ (FPO), ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ବାୟୋଟେକ ଉଦ୍ୟୋଗ ଓ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେଉଥିବା କାର୍ଯ୍ୟକ୍ରମଗୁଡ଼ିକ କୃଷି ଉଦ୍ୟମିତା ଓ ଗ୍ରାମୀଣ ସମୃଦ୍ଧି ପାଇଁ ସହାୟକ ପରିବେଶ ସୃଷ୍ଟି କରୁଛି।

ଆୟୋଜକମାନଙ୍କୁ ପ୍ରଶଂସା କରି ଏହି ସମ୍ମିଟ ର ଥିମ “ଫୁଡ୍, ଏଗ୍ରି-ଟେକ୍ ଓ ବାୟୋଟେକ୍ ଉଦ୍ଭାବନରେ ଜାତୀୟ ହବ ଭାବେ ଓଡ଼ିଶାର ଉତଥାନକୁ ତ୍ୱରାନ୍ୱିତ କରିବ” ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ । ଓୟୁଏଟି ଦ୍ୱାରା ପ୍ରକାଶିତ ‘ହ୍ୟାଣ୍ଡବୁକ୍ ଅଫ୍ ଏଗ୍ରିବିଜନେସ୍ ଇନ୍ ଓଡ଼ିଶା’ର ପ୍ରକାଶନକୁ ପ୍ରଶଂସା କରି ଏହାକୁ କୃଷକ, ଷ୍ଟାର୍ଟଅପ, ଏଗ୍ରିପ୍ରେନର୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ହେବ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ।

ସରକାରୀ ବିଭାଗଗୁଡ଼ିକ ସବସିଡି ଆଧାରିତ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ବ୍ୟାଙ୍କଗୁଡ଼ିକ ସହିତ ଅଧିକ ସମନ୍ୱୟ ରଖି ପ୍ରକୃତ ହିତାଧିକାରୀଙ୍କୁ ବିନା ବାଧାରେ ସହାୟତା ପ୍ରଦାନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

କୋଭିଡ୍-୧୯ ମହାମାରୀ ସମୟରେ ଭାରତ କିପରି ସଙ୍କଟକୁ ସୁଯୋଗରେ ପରିଣତ କରି ଡିଜିଟାଲ୍ ପଦ୍ଧତିକୁ ଗ୍ରହଣ ଓ ନବସୃଜନକୁ ତ୍ୱରାନ୍ୱିତ କରିଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ। ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ସଙ୍କଟକୁ ଉଲ୍ଲେଖ କରି ଶକ୍ତି ସୁରକ୍ଷା ଓ ସ୍ଥାୟୀ ବିକାଶର ଆବଶ୍ୟକତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ ।

ଦୈନନ୍ଦିନ ଜୀବନରେ ବୈଦ୍ୟୁତିକ ଯାନ ଓ ରୂଫ ଟପ ସୋଲାର୍ ସିଷ୍ଟମ୍ ପ୍ରଣାଳୀ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରି ରାଜ୍ୟପାଳ କହିଥିଲେ ଯେ, ଏହା ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ପରିବେଶ ସୁରକ୍ଷାରେ ସହାୟକ ହେବ। କେନ୍ଦ୍ର ସରକାରଙ୍କ ଇଥାନଲ୍ ବ୍ଲେଣ୍ଡିଂ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଉଲ୍ଲେଖ କରି କୃଷି କିପରି ଭାରତର ଶକ୍ତି ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ କୃଷକଙ୍କ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରୁଛି ସେ ବିଷୟରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ।

ଓଡ଼ିଶାରେ ପ୍ରଚୁର ସମ୍ଭାବନା ଥିବାରୁ ଏହା ଖାଦ୍ୟ, ଏଗ୍ରି-ଟେକ୍ ଓ ବାୟୋଟେକ୍ନୋଲୋଜିର ଏକ ପ୍ରମୁଖ ହବ୍ ଭାବେ ଆତ୍ମପ୍ରକାଶ କରିପାରିବ ବୋଲି ରାଜ୍ୟପାଳ କହିବା ସହିତ ଅନୁଷ୍ଠାନ, ଶିଳ୍ପ, ବିନିଯୋଗକାରୀ ଓ ଉଦ୍ଭାବକଙ୍କ ମଧ୍ୟରେ ଆହୁରି ଦୃଢ ସହଯୋଗ ଜରୁରୀ ବୋଲି ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଏମ୍ଏସ୍‌ଏମ୍‌ଇ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇସିସି ଓଡ଼ିଶା ଷ୍ଟେଟ୍ କାଉନସିଲ ର ଏଗ୍ରି ଓ ଫୁଡ୍ ପ୍ରସେସିଂ କମିଟି କନଭେନର ଶ୍ରୀ ଶ୍ରୀରାମ ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଇସିସି ଓଡ଼ିଶା ଷ୍ଟେଟ୍ କାଉନସିଲ ର ଅଧ୍ୟକ୍ଷ ଶ୍ରୀ ରାଜୀବ ଶେଖର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।