କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ସମ୍ମାନିତ କଲା ୟୁଏଇ

‘ଫାର୍ଷ୍ଟ କ୍ଲାସ୍ ଅର୍ଡର ଅଫ୍ ଜାଏଦ୍-୨’ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ, ୨୮/୧୦: ଫ୍ଲାଇଦୁବାଇ ବିମାନର କକ୍‌ପିଟ୍‌ରେ ଆକ୍ରମଣ ସତ୍ତ୍ୱେ ନିଜର ଅସାଧାରଣ ସାହସ, କର୍ତ୍ତବ୍ୟନିଷ୍ଠା ଓ ଉପସ୍ଥିତ ବୁଦ୍ଧି ପ୍ରଦର୍ଶନ କରି ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ସମ୍ମାନିତ କରିଛି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)। ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ତାଙ୍କ ସହ ଏହି ଘଟଣାରେ ସାହସିକତା ପ୍ରଦର୍ଶନ କରିଥିବା ଫ୍ଲାଇଦୁବାଇର ଅନ୍ୟ କ୍ରୁ ସଦସ୍ୟଙ୍କୁ ମଧ୍ୟ ‘ଫାର୍ଷ୍ଟ କ୍ଲାସ୍ ଅର୍ଡର ଅଫ୍ ଜାଏଦ୍-୨’ ସମ୍ମାନ ପ୍ରଦାନ କରିଛନ୍ତି। ୟୁଏଇ ରାଷ୍ଟ୍ରପତିଙ୍କ ପକ୍ଷରୁ ଘୋଷିତ ଏହି ସମ୍ମାନକୁ ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହମଦାନ ବିନ୍ ମହମ୍ମଦ ବିନ୍ ରାଶିଦ୍ ଅଲ୍ ମକ୍ତୁମ୍ ପ୍ରଦାନ କରିଥିଲେ। ସେ ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଅଟନ୍ତି।

ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଉଡ଼ାଣ ସମୟରେ ବିମାନର ସହ-ପାଇଲଟ୍ ଓମାନର ନାଗରିକ ହମାମ୍ ଅଲ୍-ହମାମି କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ କରି ଦୁର୍ଘଟଣା କରିବାକୁ ଉଦ୍ୟମ କରିଥିଲେ।

ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ମଚ୍ଛାର ଧୈର୍ଯ୍ୟ ହରାଇ ନଥିଲେ। ସେ କକ୍‌ପିଟ୍‌ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଫଳରେ କ୍ୟାବିନ୍ କ୍ରୁ ସଦସ୍ୟ, ବିମାନରେ ବିଶ୍ରାମରେ ଥିବା ଅନ୍ୟ ପାଇଲଟ୍ ଓ କିଛି ଯାତ୍ରୀ କକ୍‌ପିଟ୍‌ରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସହାୟତା କରିଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମ ଯୋଗୁଁ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇବା ସମ୍ଭବ ହୋଇଥିଲା।

ଘଟଣା ପରେ ବିମାନକୁ ସାଉଦି ଆରବର ତାବୁକ୍‌ସ୍ଥିତ ପ୍ରିନ୍ସ ସୁଲତାନ ବିନ୍ ଅବଦୁଲାଜିଜ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଆହତ କ୍ୟାପଟେନ୍ ମଚ୍ଛାରଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ୟୁଏଇକୁ ନିଆଯାଇଥିଲା।

ଏହି ଘଟଣାରେ କେବଳ କ୍ୟାପଟେନ୍ ମଚ୍ଛାର ନୁହନ୍ତି, ବରଂ ବିମାନର ଅନ୍ୟ କ୍ରୁ ସଦସ୍ୟ ଓ ସହାୟତା କରିଥିବା ଯାତ୍ରୀମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଚିକିତ୍ସା ସମୟରେ ଅକ୍ଟୋବର ୩ ତାରିଖରେ ଶେଖ୍ ହମଦାନ୍ ଚିକିତ୍ସାଧୀନ କ୍ୟାପଟେନ୍ ମଚ୍ଛରଙ୍କୁ ଭେଟି ତାଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାର ପ୍ରଶଂସା କରିଥିଲେ।

ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ତାଙ୍କୁ ସାଧାରଣ ନାଗରିକଙ୍କ ପାଇଁ ଦେଶର ଏକ ଶ୍ରେଷ୍ଠ ସାହସିକତା ସମ୍ମାନ ‘ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର୍ ସିଭିଲ୍ ହିରୋଇଜମ୍’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।