ସେଣ୍ଟ୍ରାଲ ଓଡ଼ିଶାରେ ବିଦ୍ୟୁତ ସେବାର ୬ ବର୍ଷ ପୂର୍ତ୍ତି ପାଳନ କଲା ଟିପିସିଓଡିଏଲ୍‌

‘ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ଓ ସୁରକ୍ଷିତ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ’

ଭୁବନେଶ୍ୱର, ୧୨/୦୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌‌), ନିଜର ୬ଷ୍ଠ ବାର୍ଷିକୋତ୍ସବ ପାଳନ କରିଛି । ଏହା ସେଣ୍ଟ୍ରାଲ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରରେ ୬ ବର୍ଷର ପରିବର୍ତ୍ତନଶୀଳ ଅଭିବୃଦ୍ଧି, ନୂତନତ୍ୱ ଏବଂ ଉତ୍କୃଷ୍ଟ ସେବା ପ୍ରଦାନର ଏକ ସଫଳ ଯାତ୍ରାକୁ ଦର୍ଶାଉଛି ।

୨୯,୩୫୪ ବର୍ଗ କିଲୋମିଟର ସେବା ଯୋଗାଣ ଅଞ୍ଚଳ ମଧ୍ୟରେ ୧.୩୬ କୋଟି ଜନସଂଖ୍ୟା ଏବଂ ୩୨.୯୬ ଲକ୍ଷ ଉପଭୋକ୍ତାଙ୍କୁ ସେବା ଯୋଗାଇଦେଇ ଟିପିସିଓଡିଏଲ ଦେଶର ଏକ ଅଗ୍ରଣୀ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଭାବରେ ଉଭା ହୋଇଛି । ଏହି ଅବସରରେ ଏକ ଦୃଢ଼ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ ବିତରଣ ନେଟୱର୍କ ଗଠନ କରିବା ସହିତ ନିର୍ଭରଯୋଗ୍ୟ, ଗୁଣାକ ଏବଂ ଗ୍ରାହକ-କୈନ୍ଦ୍ରିକ ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କମ୍ପାନୀର ନେତୃତ୍ୱ ମଣ୍ଡଳୀ ଭିତ୍ତିଭୂମିକୁ ମଜବୁତ କରିବା, ଡିଜିଟାଲ୍ ପରିବର୍ତ୍ତନକୁ ଆଗକୁ ବଢ଼ାଇବା, ଉପଭୋକ୍ତା ସେବାରେ ଉନ୍ନତି ଆଣିବା ଏବଂ ସୁରକ୍ଷା ଓ ପରିଚାଳନାଗତ ଉତ୍କର୍ଷତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଟିପିସିଓଡିଏଲ୍ ର ଉଲ୍ଲେଖନୀୟ ପ୍ରଗତି ଉପରେ ଆଲୋକପାତ କରିଥିଲେ । ଏହାର ଅଭିବୃଦ୍ଧିର ମୂଳଦୁଆ ହେଉଛି ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ ସର୍ବପ୍ରଥମ ସେବା ପ୍ରଦାନ ପାଇଁ ଏକ ଦୃଢ଼ ସଂକଳ୍ପ ।

ଭାରତର ଅଗ୍ରଣୀ ବିଦ୍ୟୁତ ବିତରଣ ୟୁଟିଲିଟି ଗୁଡ଼ିକ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଟିପିସିଓଡିଏଲ୍‌, ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ବାର୍ଷିକ ସମନ୍ୱିତ ରେଟିଙ୍ଗ ଏବଂ ର଼୍ୟାଙ୍କିଙ୍ଗରେ ଏ+ ରେଟିଂ ହାସଲ କରିଛି । କମ୍ପାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ସମ୍ମାନଜନକ ସଫଳତା ପାଇଛି, ଯାହା ଏହାର ପରିଚାଳନାଗତ ଉତ୍କର୍ଷତା, ଦୃଢ଼ କର୍ପୋରେଟ୍ ଗର୍ଭାନ୍ସ ଏବଂ ଆର୍ଥିକ ସ୍ଥିରତାକୁ ପ୍ରମାଣିତ କରୁଛି ।

ଏହି ସମାବେଶକୁ ସମ୍ବୋଧିତ କରି ଟିପିସିଓଡିଏଲ୍ ର ସିଇଓ ଗଜାନନ ଏସ୍‌. କାଲେ କହିଛନ୍ତି ଯେ, “ବିଗତ ୬ ବର୍ଷ ମଧ୍ୟରେ ଟିପିସିଓଡିଏଲ୍ ନୂତନତ୍ୱ, ପରିଚାଳନାଗତ ଉତ୍କର୍ଷତା ଏବଂ ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ସେଣ୍ଟ୍ରାଲ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରର ବଡ଼ ଧରଣର ପରିବର୍ତ୍ତନ ଆଣିପାରିଛି । ଏହି ସଫଳତା ଆମର କର୍ମଚାରୀ, ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କର, ଯେଉଁମାନେ ଆମର ଏହି ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ସାଜିଛନ୍ତି । ଆମେ ଏହି ଅଞ୍ଚଳର ବିକାଶ ପାଇଁ ଶକ୍ତି ଯୋଗାଇବା ଏବଂ ଏକ ସ୍ମାର୍ଟ ତଥା ଦୀର୍ଘସ୍ଥାୟୀ ଶକ୍ତିର ଭବିଷ୍ୟତ ଗଠନ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ ରହିବୁ ।”

ଏହି ଉବ ଅବସରରେ ଟିପିସିଓଡିଏଲ୍ ପକ୍ଷରୁ ‘ସ୍ମୃତି ଓ ଅନୁଭୂତି’ ପତ୍ରିକା ଉନ୍ମୋଚିତ ହୋଇଥିଲା । ଏହା ସହିତ କମ୍ପାନୀର ସଫଳତା ପଛରେ ଥିବା ନିଷ୍ଠାପର କର୍ମଚାରୀ ଓ ଫିଲ୍ଡ ଟିମ୍‌‌ଙ୍କ ଅବଦାନକୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମାବେଶକୁ ଅଧିକ ଆକର୍ଷଣୀୟ କରିଥିଲା ।”

ଏହି ବାର୍ଷିକୋବ ପାଳନ ସେଣ୍ଟ୍ରାଲ ଓଡ଼ିଶାରେ ଦୀର୍ଘ ସ୍ଥାୟୀ ଅଭିବୃଦ୍ଧି ଆଣିବା, ସମାଜକୁ ସଶକ୍ତ କରିବା ଏବଂ ବିଶ୍ୱସ୍ତରୀୟ ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍ ର ସଂକଳ୍ପକୁ ପୁନର୍ବାର ଦୋହରାଇଛି ।