ଭୁବନେଶ୍ୱର, ୧୪/୦୬: ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି।
ଆମ ସାଂସ୍କୃତିକ ବିଶ୍ୱାସ ଅନୁଯାୟୀ, ସ୍ୱୟଂ ଭୂଦେବୀ ଏହି ତିନିଦିନ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ପ୍ରକୃତିର ଏହି ସର୍ଜନାତ୍ମକ ବିଶ୍ରାମକୁ ସମ୍ମାନ ଜଣାଇ ଆମ ଅନ୍ନଦାତାମାନେ କୃଷି କାର୍ଯ୍ୟ ସ୍ଥଗିତ ରଖି ମାଟି ମା’ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ସେହିପରି, ପ୍ରତ୍ୟେକ ଓଡ଼ିଆ ପରିବାରରେ କନ୍ୟା, ମା’ ଓ ଭଉଣୀମାନଙ୍କୁ ଦୈନନ୍ଦିନ ଦାୟିତ୍ୱରୁ ମୁକ୍ତି ଦେଇ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଆନନ୍ଦର ମହୋତ୍ସବ ଭାବେ ଏହି ପର୍ବକୁ ପାଳନ କରାଯାଏ।
ଯେଉଁ ସଂସ୍କୃତି ଆଗାମୀ ସୃଜନ ପାଇଁ ବିଶ୍ରାମର ଆବଶ୍ୟକତାକୁ ସ୍ୱୀକାର କରେ, ସେହି ସଂସ୍କୃତିର ଉତ୍ତରାଧିକାରୀ ଭାବେ ଏହି ମାନବୀୟ ଓ ବୈଜ୍ଞାନିକ ଦର୍ଶନକୁ ଆଧାର କରି ଆଜି ଆମ ଶାସନ ବ୍ୟବସ୍ଥାରେ ମଧ୍ୟ ମାତୃଶକ୍ତିର ଗରିମା ଓ ସ୍ୱାଭିମାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସେହି ଚିନ୍ତାଧାରାର ପ୍ରତିଫଳନ ସ୍ୱରୂପ କର୍ମଜୀବୀ ଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ସାମୟିକ ଛୁଟିର ଐତିହାସିକ ବ୍ୟବସ୍ଥା କରାଯାଇଛି। ସେହିପରି ଆମ ପରିଶ୍ରମୀ ଚାଷୀ ଭାଇମାନଙ୍କ ସ୍ୱେଦବିନ୍ଦୁକୁ ସମୃଦ୍ଧିର ଶସ୍ୟରେ ପରିଣତ କରି ସେମାନଙ୍କ ଜୀବନରେ ପ୍ରଗତି ଓ ସମ୍ମାନର ନୂତନ ଅଧ୍ୟାୟ ରଚନା କରିବା ପାଇଁ ଆମେ ସଂକଳ୍ପବଦ୍ଧ।
ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା, ପୋଡ଼ପିଠାର ମଧୁର ମହକରେ ମହକି ଉଠୁ ଆମର ସାମାଜିକ ସଦ୍ଭାବ ଓ ପାରିବାରିକ ବନ୍ଧନ; ରଜ ପାନର ମାଧୁର୍ଯ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଭରିଦେଉ ନୂତନ ଆଶା, ନୂତନ ଉତ୍ସାହ ଓ ନୂତନ ସଂକଳ୍ପର ଉଲ୍ଲାସ।
ଆସନ୍ତୁ, ମା’ ବସୁମତୀଙ୍କ ଆଶୀର୍ବାଦ କାମନା କରି ଏକ ସମୃଦ୍ଧ, ସ୍ୱାଭିମାନୀ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପୁନର୍ବାର ଦୃଢ଼ ସଂକଳ୍ପ ନେବା।