ଦଶପଲ୍ଲା, ୧୪/୦୬: ଦଶପଲ୍ଲା ବିଡିଓଙ୍କ ସରକାରୀ ଗାଡି ଉପରକୁ ଢେଲାମାଡ଼ ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ୍ କରିଛନ୍ତି। ଗିରଫ ଦୁଇଜଣ ଦଶପଲ୍ଲା ଥାନା ଅନ୍ତର୍ଗତ ଆଲପଙ୍ଗାର ନିରଞ୍ଜନ ବେହେରାଙ୍କ ପୁତ୍ର ସୁକାନ୍ତ ବେହେରା (୨୫ ବର୍ଷ) ଓ ଘୁଗୁଡିପଡାର ପଦ୍ମଲାଭ ଭୋଇଙ୍କ ପୁତ୍ର ରବି ଭୋଇ (୪୦ବର୍ଷ) ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି।
ଦଶପଲ୍ଲା ଥାନା କେସ୍ ନମ୍ବର ୧୪୫ ରେ ବିଏନଏସ୍ ବିଭିନ୍ନ ଧାରାରେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ସିଡିଆର୍ (କଲ୍ ଡିଟେଲ୍ସ ରେକର୍ଡ) ଆସିବା ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ବିଡିଓ ଶରତ କୁମାର ମଲ୍ଲିକ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ନଛିପୁର ଅଞ୍ଚଳ ଗସ୍ତ କରି ‘ଏସ୍.ଆଇ.ଆର୍’ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହାପରେ ସେ ବିଡ଼ାପାଜୁ ଗ୍ରାମକୁ ଯାଇ ସେଠାକାର ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିଥିଲେ। ସେଠାରୁ ନିଜର ସରକାରୀ ଗାଡ଼ିରେ ଫେରୁଥିବା ସମୟରେ ବିଡିଓଙ୍କ ସରକାରୀ ଗାଡି ଉପରକୁ ଢେଲାମାଡ଼ ହୋଇଥିଲା। ବିଡିଓ ଏଥିନେଇ ଦଶପଲ୍ଲା ଥାନାରେ ଏତଲା ଦେଇଥିଲେ। ଘଟଣା ଦଶପଲ୍ଲାରେ ବେଶ୍ ଚର୍ଚ୍ଚା ଓ ଆଲୋଡନ ସୃଷ୍ଟି କରିଥିଲା।