ଦଶପଲ୍ଲା, ୧୪/୦୬ ବିଶ୍ୱପ୍ରସିଦ୍ଧ ନାଟ୍ୟକାର ଶେକ୍ସପିଅରଙ୍କ ନାଟକକୁ ସାନ୍ତାଳୀ ଭାଷାରେ ୟୁରୋପର ରୋମାନିଆ ମାଟିରେମଞ୍ଚସ୍ଥ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ‘କିସ୍’ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଦଶପଲ୍ଲାରେ ଶୁଭେଚ୍ଛା ସହ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଦଶପଲ୍ଲାର ସୀତାରାମ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ବିଶାଳ ପଟୁଆରରେ କଳାକାରମାନଙ୍କୁଶିଙ୍ଗ ବାଦ୍ୟ ଓ ଆତସବାଜିର ସହ କ୍ଲବ ପରିସରକୁ ପାଛୋଟି ଅଣାଯାଇଥିଲା | ଏହି ଅବସରରେ ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କଳାକାରମାନେ ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଆହୁରି ଆଗକୁ ନେବାକୁ ସଂକଳ୍ପ କରିଥିଲେ। ଏଥିସହିତ କ୍ଲବ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ କ୍ଲବର ଉପଦେଷ୍ଟା ତ୍ରିନାଥ ସାହୁ, ସାହିତ୍ୟିକ ହାଡ଼ିବନ୍ଧୁ ମହାଖୁଡ଼, ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି, ‘କିସ୍’ ପୁରାତନ ଛାତ୍ରଛାତ୍ରୀ, ‘ମହକ’ ଆହେ ନୀଳଶଇଳ’ ର ସାଂସ୍କୃତିକ କଳାକାର ଏବଂ ସୀତାରାମ ୟୁଥ୍ କ୍ଲବର ସଭ୍ୟ ଉପସ୍ଥିତ ରହି ପ୍ରତିଭାବାନ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଇତ୍ୟବସରରେ କଳାକାରମାନେ ରୋମାନିଆ ମଞ୍ଚରେ ଅଭିନୀତ ସେହି ବିଶ୍ୱପ୍ରସିଦ୍ଧ ନାଟକର କିଛି ଝଲକ ସାନ୍ତାଳୀ ଓ ଇଂରାଜୀ ଭାଷାରେ ଅଭିନୟ କରି ଉପସ୍ଥିତ ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ସୁଚନା ଯୋଗ୍ଯ ଯେ, ଏଥି ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାର ମାନଙ୍କୁ ସ୍ଵାଗତ ଶୁଭେଚ୍ଛା ଜ୍ଞାପନ କରିଥିଲେ |
Prev Post
Next Post