ଭୁବନେଶ୍ୱର, ୧୬/୦୬: ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ପରେ ବଦଳିଛି ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଠ୍ୟ ପୁସ୍ତକ। କିନ୍ତୁ ଏହି ପାଠ୍ୟ ପୁସ୍ତକରେ ୧୬୭୮ ଭୁଲ ଥିବା ସୂଚନା ମିଳିଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଅନେକ ସ୍ଥାନରେ ବନାନ ଭୁଲ ରହିବା ସହ ମହାପୁରୁଷଙ୍କ ନାମ ମଧ୍ୟ ଭୁଲ ଲେଖାଯାଇଛି। ଓଡ଼ିଶା ବିଧାନସଭାର ଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଚିତ୍ର କରାଯାଇଛି। ଓଡ଼ିଶାର ନିୟମଗିରିକୁ ଝାଡଖଣ୍ଡର ବୋଲି ଲେଖାଯାଇଛି। ସେହିପରି ଡଙ୍ଗରିଆ ଜନଜାତିଙ୍କୁ ଡୋଙ୍ଗାରିଆ ଓ ଗଂଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ଲେଖାଯାଇଛି। ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ ଭୁଲ ରହିଛି।
ଏପରି ଭୁଲ ଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି। ଘରୋଇ ସ୍କୁଲ ଶିକ୍ଷକଙ୍କ ଦ୍ବାରା ପୁସ୍ତକ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତ କରି କେଉଁ ଅଧିକାରୀ ଦାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ତ୍ରୁଟି ସଂଶୋଧନ କରି ପୁସ୍ତକ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି।
ଅନ୍ୟପଟେ ଗଣଶିକ୍ଷା ବିଭାଗ ଏହାକୁ ସ୍ବୀକାର କରି ସଂଶୋଧନ ପାଇଁ ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରିଛି।