ଯୁବକଙ୍କୁ ମାରି ଫିଙ୍ଗିଦେଲେ; ୨ ଭାଇ ଗିରଫ

ନ୍ୟାୟ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ୱର, ୧୭/୦୬: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ। ଜଣେ ଯୁବକଙ୍କୁ ହତ୍ୟା କରିବା ପରେ କେନାଲ କଡ଼ରେ ମିଳିଛି ତାଙ୍କ ମୃତଦେହ। ହତ୍ୟାକାଣ୍ଡ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ହେଲେ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ସମ୍ପର୍କୀୟ।

ସୂଚନାଯୋଗ୍ୟ, ଆଜି ସକାଳୁ ପାହାଳ ନିକଟ ଅନନ୍ତପୁର କେନାଲ୍‌ ବନ୍ଧରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଜଣକ ହେଉଛନ୍ତି ଭୀମପୁର ଗାଁର ପ୍ରଭାତ ବେହେରା। ଯୁବକଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ହୋଇଛି। ମୃତଦେହ ନିକଟରୁ ଏକ ପ୍ଲାଷ୍ଟିକ୍‌ ପାଇପ ଓ ସ୍କୁଟର୍‌ ଜବତ କରାଯାଇଛି। ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରିଛି।

ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ରଖିଛି ପୋଲିସ। ପ୍ରଭାତ ବେହେରା ହାଇୱା ମ୍ୟାନେଜର କାମ କରୁଥିବା ହାଇୱା ମାଲିକ ଓ ତାଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ। ଗତ କାଲି ରାତିଠାରୁ ନିଖୋଜ ଥିଲେ ପ୍ରଭାତ। ତେବେ ଯୁବକଙ୍କ ମୃତଦେହ ମିଳିବା ପରେ ଦୁଇ ଭାଇଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସଂପର୍କୀୟମାନେ ରାସ୍ତାରୋକ କରିଥିଲେ। ନଖରା-ନିଆଳି ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଉଭୟ ପଟେ ଅଟକିଥିଲା ଶହ ଶହ ଗାଡ଼ି, ଉତ୍ତେଜନାସ୍ଥଳରେ ପାହାଳ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।