ପିଏମ୍ ସ୍ୱନିଧି ଯୋଜନା: ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ଉପକୃତ ହେବେ ଉଠା ଦୋକାନୀ ହିତାଧିକାରୀ

ଭୁବନେଶ୍ୱର, ୧୭/୦୬: ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି। ୩ଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର। ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ ଧାରା ୯ (୧) (କ) ଅନୁଯାୟୀ ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ସରକାର। କ୍ୟାବିନେଟ୍ ନିଷ୍ପତ୍ତି ପରେ ରାଜସ୍ବ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ବନ୍ଧକ ଚୁକ୍ତିନାମା ଉପରେ ଷ୍ଟାମ୍ପ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଥିଲା। ଯାହା ଦ୍ୱାରା ଉଠାଦୋକାନୀଙ୍କୁ ୩ଟି ପର୍ଯ୍ୟାୟରେ ୧୫,୦୦୦, ୨୫,୦୦୦ ଓ ୫୦,୦୦୦ ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା ରହିଛି। ଯୋଗ୍ୟ ହିତାଧିକାରୀଙ୍କୁ ବିନା ବନ୍ଧକରେ ସହଜ ଋଣ ସୁବିଧା ଯୋଗାଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଅଧିକ ପ୍ରୋତ୍ସାହନ ମିଳିବ।

ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଘୋଷଣା କରି କହିଛନ୍ତି, “ଡବଲ ଇଞ୍ଜିନ ସରକାରରେ ଉଠାଦୋକାନୀଙ୍କ ସଶକ୍ତିକରଣକୁ ମିଳିଛି ନୂତନ ଗତି। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ବନ୍ଧକ ଚୁକ୍ତିନାମା ଉପରେ ଷ୍ଟାମ୍ପ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ଫଳରେ ଯୋଗ୍ୟ ଉଠାଦୋକାନୀମାନେ ବିନା ବନ୍ଧକରେ ସହଜରେ ଋଣ ପାଇପାରିବେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ମିଳିବ ଅଧିକ ପ୍ରୋତ୍ସାହନ।”