ଭତ୍ତା ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହିତାଧିକାରୀ

ବିଧବା, ବିକଳାଙ୍ଗ ଓ ବୃଦ୍ଧବୃଦ୍ଧା ଭତ୍ତାରୁ ବଞ୍ଚିତ ନେଇ ବିଡ଼ିଓଙ୍କୁ ଅଭିଯୋଗ

କଲ୍ୟାଣସିଂହପୁର, ୧୭/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତ ବନ୍ଧକରଞ୍ଜା ଗ୍ରାମର ବିଧବା, ବିକଳାଙ୍ଗ ଓ ବୃଦ୍ଧବୃଦ୍ଧା ତିନିମାସ ଭତ୍ତା ପାଇନଥିବା ଯୋଗୁଁ ବିଡ଼ିଓ ମନୀଷା ଦାସଙ୍କଠାରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ହିତାଧିକାରୀମାନେ ପ୍ରତ୍ୟେକ ମାସ ନିଜ ପଞ୍ଚାୟତକୁ ବୁଲି ବୁଲି ନୟାନ୍ତ ହୋଇଥିଲେ ବି ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ। ଆଜି ବ୍ଲକ ଆସି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ।

ସରକାର କିଛି ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ବିଧବା, ବିକଳାଙ୍ଗ ଓ ବୃଦ୍ଧବୃଦ୍ଧା ଭତ୍ତା ଦେଉଥିବା ବେଳେ କିଛି ଲୋକଙ୍କୁ ହାତରେ ଭତ୍ତା ଟଙ୍କା ପ୍ରଦାନ କରୁଛନ୍ତି। ଯେଉଁ ହିତାଧିକାରୀଙ୍କୁ ଆଙ୍କୁଠି କାର୍ଯ୍ୟ କରୁ ନାହିଁ କି ଅତି ବୟସ୍କଙ୍କୁ ହାତରେ ଟଙ୍କା ପ୍ରଦାନ କରାଯାଉଛି। ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଲୋକ ମାନେ ଅତି ଗରୀବ। ସେମାନେ ଭତ୍ତା ଟଙ୍କାରେ ପରିବାର ଭରଣ ପୋଷଣ କରିଥାନ୍ତି। ବର୍ତ୍ତମାନ ତିନିମାସ ଭତ୍ତା ଟଙ୍କା ପାଇନଥିବାରୁ ଗ୍ରାମର ପ୍ରାୟ ୧୪ ଜଣ ଉତ୍ତରା କାଡ୍ରାକା,କମ୍ବଳା କାଡ୍ରାକା, ଇଲାଇ କାଡ୍ରାକା, ସାରକା ପଲାଇ, କୁଡୁଞ୍ଜି ଉର୍ଲାକା,କୁଲୁସିକା ଜିଆମା,କୁନିଜି କାଡ୍ରାକା,କାଡ୍ରାକା ସାଲମେ, କୁଡୁଞ୍ଜି କାଡ୍ରାକା, କାଡ୍ରାକା ଘସାଇ, ଶିତେ କାଡ୍ରାକା, କାଡ୍ରାକା ବାଙ୍ଗାରୀ, କୋୖପଲ୍ୟା ସାଇବେଣୀ,ଜାଭି ୱାଡ଼ାକା ପ୍ରମୁଖ ଏକ ଅଟୋ ଭଡା କରି କଲ୍ୟାଣ ସିଂହପୁର ବ୍ଲକକୁ ୮ଟାରେ ଆସି ବସି ରହିଥିଲେ। ବିଡ଼ିଓ ମନୀଷା ଦାସ ଆସିବା ପରେ ସେମାନେ ଭେଟି ତିନି ମାସ ହେବ ଭତ୍ତା ଟଙ୍କା ପାଇନାହୁଁ। ଆମ ବ୍ୟାଙ୍କ ଖାତାକୁ ଟଙ୍କା ଆସିନାହିଁ, ଆମକୁ ହାତରେ ଟଙ୍କା ଦିଆଯାଉ ବୋଲି କହିଥିଲେ। ବିଡ଼ିଓ ମନୀଷା ଦାସ ଲୋକଙ୍କୁ ଆଶ୍ୱସ୍ତି ଦେଇ କହିଥିଲେ ଯେ, ବ୍ୟାଙ୍କରେ ନେଟବ୍ୟାଙ୍କିଙ୍ଗ ସର୍ଭର ନଥିବାରୁ ଟଙ୍କା ମିଳିପାରିନାହିଁ। ଆଜି ଟଙ୍କା ପାଇଯିବେ, ସମସ୍ତଙ୍କୁ ହାତରେ ଟଙ୍କା ଦେଇ ହେବ ନାହିଁ, ଯେଉଁ ମାନଙ୍କ ସମସ୍ୟା ହେଉଛି ତାଙ୍କୁ ହାତରେ ଟଙ୍କା ଯୋଗାଇ ଦିଆଯିବ। ଅନ୍ୟ ମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଯେଉଁମାନଙ୍କ ସମସ୍ୟା ରହିଛି ଚିଠି ଲେଖି ଦେଲେ ତାହାର ତଦନ୍ତ କରି ବିଚାର କରାଯିବ ବୋଲି କହିଛନ୍ତି।

କଲ୍ୟାଣସିଂହପୁର ବ୍ଲକରେ ମୋଟ ୧୨୬୧୭ ଜଣ ହିତାଧିକାରୀ ରହିଛନ୍ତି। ସେଥିରୁ ମଧୁବାବୁ ପେନସନରେ ହାତରେ ୭୧୭୪ ଜଣ ଏକ ହଜାର ଟଙ୍କା ପାଉଥିବା ବେଳେ ୩୮୭ଜଣ ୩୫୦୦ଟଙ୍କା ପାଉଛନ୍ତି। ସେହିପରି ଇନ୍ଦିରାଗାନ୍ଧୀ ନ୍ୟାସନାଲ ପେନସନ ବ୍ୟାଙ୍କ ଆକାଉଣ୍ଟକୁ ୪୭୨୯ ଜଣଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଓ ୩୨୭ ଜଣ ହିତାଧିକାରୀଙ୍କୁ ୩୫୦୦ଟଙ୍କା ଲେଖାଏଁ ଆକାଉଣ୍ଟକୁ ପ୍ରଦାନ କରାଯାଉଥିବା ଜଣାପଡିଛି।