ଭତ୍ତା ବଣ୍ଟନରେ ବିଳମ୍ବ, ବ୍ଲକ ଘେରିଲା ବହୁଜନ ସମାଜ ପାର୍ଟି

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର, ୧୮/୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଭତ୍ତା ବଣ୍ଟନରେ ବିଳମ୍ବ ହୋଇଥିବା ଯୋଗୁଁ ବହୁଜନ ସମାଜ ପାର୍ଟି ପକ୍ଷରୁ ବ୍ଲକ ଘେରାଉ କରିଥିଲେ। ବ୍ଲକର ବିଧବା, ବିକଳାଙ୍ଗ, ବୃଦ୍ଧ ବୃଦ୍ଧାଙ୍କ ମଧୁବାବୁ ଓ ଇନ୍ଦିରାଗାନ୍ଧୀ ନେସନାଲ ପେନସନ ତିନିମାସ ଧରି ହିତାଧିକାରୀ ମାନେ ପାଇନଥିବାରୁ ଆଜି ବ୍ଲକର ୧୪ଟି ପଞ୍ଚାୟତରୁ କିଛି ହିତାଧିକାରୀ ମାନଙ୍କୁ ବହୁଜନ ସମାଜ ପାର୍ଟି ଜିଲ୍ଲା ଉପସଭାପତି ଜାଗାମ ବେନିଆଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲେ। ସେହିଠାରୁ ଏକ ଶୋଭାଯାତ୍ରାରେ ନାରା ଦେଇ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବହୁଜନ ସମାଜ ପାର୍ଟି କର୍ମୀ ମାନେ ଅଭିଭାଷଣ ଦେଇଥିଲେ। ହିତାଧିକାରୀଙ୍କ ଆବେଦନ ପତ୍ର ସହ‌ ଆଧାର କାର୍ଡ ଓ ଭତ୍ତା ବହିର ନକଲ ଗୁଡିକ ବିଡ଼ିଓ ମନୀଷା ଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ। ଉକ୍ତ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ। ବ୍ୟାଙ୍କରେ ସରବାର ତ୍ରୁଟି ହୋଇଥିବା ଯୋଗୁଁ ଅନଲାଇନରେ ପାଉଥିବା ହିତାଧିକାରୀ ସେଥିରୁ ବଞ୍ଚିତ ରହିଛନ୍ତି। ଯେଉଁମାନେ ହାତରେ ପାଇବା ପାଇଁ ହକଦାର ତାହାର ତଦନ୍ତ କରି ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ବିଡ଼ିଓ ମନୀଷା ଦାସ କହିଛନ୍ତି। ଅନ୍ୟ ପଟେ ଏହାର ତୁରନ୍ତ କାର୍ଯ୍ୟ କରି ଲୋକଙ୍କୁ ଭତ୍ତା ଟଙ୍କା ଯୋଗାଇନଦେଲେ ବ୍ଲକରେ ତାଲା ପଳାଇବା ସହ ନିଆଁ ଜାଳି ରାସ୍ତା ରୋକ କରିବା ପାଇଁ ପଚାଇବୁ ନାହିଁ ବୋଲି କହିଛନ୍ତି।

ଜିଲ୍ଲା ଉପସଭାପତି ଜାଗାମ ବେନିଆ, ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରା, ନରେନ୍ଦ୍ର କରକରିଆ, ବିକ୍ରମ ଭାତ୍ରା, ସମେତ ବହୁଜନ ସମାଜ ପାର୍ଟିର ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।