ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅଙ୍କୁ ଠକିଦେଲେ ସାଇବର ଅପରାଧୀ

୭ କୋଟି ଟଙ୍କା ହରାଇଲେ

ନୂଆଦିଲ୍ଲୀ, ୧୯/୦୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପୁଅ ଓ ପୂର୍ବତନ ରାଜ୍ୟସଭା ସାଂସଦ ନରେଶ ଗୁଜରାଲ ଏକ ସଙ୍ଗଠିତ ସାଇବର ଠକାମୀର ଶିକାର ହୋଇଛନ୍ତି। ସାଇବର ଅପରାଧୀମାନେ ତାଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ନକଲ କରି ତାଙ୍କ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ (CFO)ଙ୍କୁ ଠକି ପ୍ରାୟ ୭.୮ କୋଟି ଟଙ୍କା ଠକି ନେଇଛନ୍ତି। ଦିଲ୍ଲୀ ପୋଲିସ୍ ଏହି ମାମଲାରେ ତଦନ୍ତ କରୁଛି ଏବଂ ଏ ପର୍ଯ୍ୟନ୍ତ ପ୍ରାୟ ୪ କୋଟି ଟଙ୍କା ଫ୍ରିଜ୍ କରିପାରିଛି। ବଳକା ଟଙ୍କା ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।

ପୋଲିସ୍ ସୂଚନା ଅନୁଯାୟୀ, ସାଇବର ଅପରାଧୀମାନେ ନରେଶ ଗୁଜରାଲଙ୍କ ଫଟୋ ଓ ନାମ ବ୍ୟବହାର କରି ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ୍ ଖୋଲିଥିଲେ। ସେମାନେ କମ୍ପାନୀର ଆର୍ଥିକ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଯୋଗାଯୋଗ କରି ଜରୁରୀ ଟ୍ରାନ୍ସଫର୍ ପାଇଁ ନିର୍ଦେଶ ଦେଇଥିଲେ। କର୍ମଚାରୀ ଏହାକୁ ସତ ଭାବି ଜୁନ୍ ୧୨ ରୁ ୧୬ ମଧ୍ୟରେ ଚାରିଟି ଭିନ୍ନ ଭିନ୍ନ RTGS ଟ୍ରାନ୍ସଫର୍ ମାଧ୍ୟମରେ ମୋଟ ୭.୮ କୋଟି ଟଙ୍କା ବିଭିନ୍ନ ଆକାଉଣ୍ଟ୍‌କୁ ପଠାଇ ଦେଇଥିଲେ।

ଏହି ଠକାମୀ ଧରା ପଡ଼ିବା ପରେ ନରେଶ ଗୁଜରାଲଙ୍କ ଝିଅ ବାପାଙ୍କ ସହ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ସେ ଏପରି କୌଣସି ନିର୍ଦେଶ ଦେଇ ନଥିଲେ। ପରିବାର ଲୋକେ ତୁରନ୍ତ ଦିଲ୍ଲୀ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ।

ନରେଶ ଗୁଜରାଲ (୭୮) ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ୍ ଓ ଶିରୋମଣି ଅକାଳୀ ଦଳର ନେତା। ସେ ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲ (୧୯୯୭-୯୮)ଙ୍କ ପୁଅ।