ଭାରତର ଗର୍ବ ସ୍ମିତ ମଚ୍ଛାରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଭୁ ହନୁମାନ ଆମକୁ ବଞ୍ଚାଇ ଦେଲେ; ଭାବ ବିହ୍ୱଳ ହେଲେ ସ୍ମିତ

ନୂଆଦିଲ୍ଲୀ, ୨/୧୦: ଫ୍ଲାଏଦୁବାଇ ବିମାନ ହାଇଜାକ ଉଦ୍ୟମ ଘଟଣାରେ ଗୁରୁତର ଆହତ ହୋଇ ସାଉଦି ଆରବରେ ଚିକିତ୍ସିତ ହେଉଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୋନ ଯୋଗେ ସ୍ମିତଙ୍କ ସହ କଥା ହୋଇଛନ୍ତି ମୋଦି। ଏହି ସମୟରେ ନିଜ ଅନୁଭୂତି ଓ ବିମାନ ଭିତରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ସ୍ମିତ। ମୋଦି ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିବା ସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ମୋଦି କହିଛନ୍ତି, ସାରା ଦେଶ ଆପଣଙ୍କ ସହ ଛିଡ଼ା ହୋଇଛି।ଲୋକଙ୍କ ଜୀବନ ବଞ୍ଚାଇଥିବାରୁ ଦେଶ ଗର୍ବିତ। ସାରା ଦେଶ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି। ଆପଣଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଅନେକ ଜୀବନ ରକ୍ଷା କରିଛି। ଦେଶ ଗର୍ବର ସହିତ କହିପାରିବ ଭାରତୀୟ ଜୀବନ ନିଅନ୍ତିନି। ଅନ୍ୟଙ୍କୁ ବଞ୍ଚାଇବାକୁ ଜୀବନକୁ ବିପଦରେ ପକାଇବାକୁ ଭାରତୀୟ ପ୍ରସ୍ତୁତ।

ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଭାବବିହ୍ବଳ ହୋଇଥିଲେ ସ୍ମିତ୍‌। ସେ କହିଥିଲେ, ମୁଁ ୧୭ ବର୍ଷ ଧରି ବିମାନ ଉଡାଣ କରିଆସୁଛି ଏବଂ ଗତ ୧୧ ବର୍ଷ ଧରି ଜଣେ କ୍ୟାପ୍ଟେନ୍। ଆଖି ବନ୍ଦ କରି ମଧ୍ୟ ମୁଁ ବିମାନ ଭିତରେ କ’ଣ ଘଟୁଛି ତାହା ଜାଣିପାରୁଛି। ଯେତେବେଳେ ମୁଁ ତଳେ ପଡ଼ିଯାଉଥିଲି, ମୁଁ ବିମାନଟି ତଳକୁ ଖସିଯାଉଥିବା ଅନୁଭବ କରିପାରୁଥିଲି। ମୁଁ ଜାଣିଥିଲି ଏହା ମୋର ଶେଷ ସୁଯୋଗ। କକପିଟ୍ ଦ୍ୱାରଟି ସେଠାରେ ଥିଲା ଏବଂ ମୁଁ ତାହାକୁ ଖୋଲିଦେଲି।

ଯେତେବେଳେ ମୁଁ ଅସୁବିଧାରେ ପଡ଼ିଥାଏ, ମୁଁ ହନୁମାନ ଚାଳିଶା ପାଠ କରେ। ଘଟଣା ସମୟରେ ମଧ୍ୟ, ମୁଁ ହନୁମାନ ଚାଳିଶା ପାଠ କରୁଥିଲି। ମୁଁ ଜାଣେ ଯେ ଭଗବାନ ମୋତେ ରକ୍ଷା କରିଥିଲେ। ଆମ ସମସ୍ତଙ୍କୁ ପ୍ରଭୁ ହନୁମାନ ବଞ୍ଚାଇଲେ। ଦେଶଠୁ ଦୂରରେ ଅଛି ସଂସ୍କୃତି ଠାରୁ ନୁହେଁ ବୋଲି କହିଛନ୍ତି ସ୍ମିତ। ସେ ଆହୁରି ମଧ୍ୟ କହିଛନ୍ତି, ସେହି ମୁହୂର୍ତ୍ତରେ, ମୁଁ ମୋ ଜୀବନ ପାଇଁ ଲଢ଼ୁଥିଲି। ଗୋଟିଏ ମୁହୂର୍ତ୍ତ ଥିଲା ଯେତେବେଳେ ମୁଁ ଭାବୁଥିଲି ଯଦି ମୁଁ ତୁରନ୍ତ କିଛି ନ କରେ, ତେବେ ସବୁକିଛି ଶେଷ ହୋଇଯିବ।

ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ କକ୍‌ପିଟ୍‌ ଭିତରେ ଗୁରୁତର ଘଟଣା ଘଟିଥିଲା। ଘଟଣା ସମୟରେ ବିମାନର କ୍ୟାପଟେନ୍ ସ୍ମିତ ମଚ୍ଛାର ଆହତ ହୋଇଥିଲେ। ଏହା ପରେ ବିମାନଟି ୧୪ ହଜାର ଫୁଟ ତଳକୁ ଖସି ଆସିଥିଲା। କିନ୍ତୁ ଶେଷରେ ସାଉଦି ଆରବର ତାବୁକ୍‌କୁ ଡାଇଭର୍ଟ କରାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ।

କିନ୍ତୁ କୋ-ପାଇଲଟଙ୍କ ଛୁରାମାଡରେ ଆହତ ହୋଇଥିଲେ ସ୍ମିତ। ଆହତ ଅବସ୍ଥାରେ ମଧ୍ୟ ମଚ୍ଛାର କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ପରେ ବିମାନରେ ଥିବା ଯାତ୍ରୀ ଓ ଅନ୍ୟ କ୍ରୁ ସଦସ୍ୟମାନେ କକ୍‌ପିଟ୍‌ ଭିତରକୁ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣରେ ସହାୟତା କରିଥିଲେ। ପରେ ବିମାନରେ ଥିବା ଅନ୍ୟ ପାଇଲଟ୍‌ମାନେ ନିୟନ୍ତ୍ରଣ ନେଇ ବିମାନକୁ ସୁରକ୍ଷିତ ଭାବେ ତାବୁକ୍‌ରେ ଅବତରଣ କରାଇଥିଲେ।

ଏହି ଘଟଣା ପରେ କ୍ୟାପଟେନ୍ ମଚ୍ଛାରଙ୍କ ସାହସକୁ ନେଇ ଦେଶ-ବିଦେଶରୁ ପ୍ରଶଂସା ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମଚ୍ଛାରଙ୍କ ପତ୍ନୀ ଓ ମାତାପିତାଙ୍କ ସହ ମଧ୍ୟ କଥା ହୋଇ ତାଙ୍କ ଚିକିତ୍ସା ଓ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଦେବା ନେଇ ଆଶ୍ୱାସନ ଦେଇଥିଲେ।