ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲଖନପୁରଠାରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (BCGCL) କୋଇଲା-ରୁ-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଝାରସୁଗୁଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର କୋଇଲା ମନ୍ତ୍ରୀ
ଝାରସୁଗୁଡ଼ା, ୨୦/୦୬: ଭାରତର ଶକ୍ତି ସୁରକ୍ଷା, ବୈଷୟିକ ଆତ୍ମନିର୍ଭରଶୀଳତା ଏବଂ ମାତୃଭୂମିର କୋଇଲା ସମ୍ପଦର ସ୍ଥାୟୀ ବ୍ୟବହାର ହାସଲ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦ ଜୁନ୍ ୨୦୨୬ ଶନିବାର ଦିନ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (BCGCL) ର ‘କୋଇଲା-ରୁ-ଆମୋନିୟମ୍ ନାଇଟ୍ରେଟ୍’ ପ୍ରକଳ୍ପର ଭର୍ଚୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ସମେତ ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ କୋଇଲା ମନ୍ତ୍ରୀ ଶ୍ରୀ ରେଡ୍ଡୀ ଲଖନପୁର ପ୍ରକଳ୍ପ ସ୍ଥଳରେ ପ୍ରେସକୁ ସମ୍ବୋଧନ କରି ଏହି ଆଗାମୀ ପ୍ରକଳ୍ପ ପାଇଁ ଝାରସୁଗୁଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, କୋଲ୍ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଭେଲ୍ (BHEL) ମଧ୍ୟରେ ହୋଇଥିବା ଏହି ଯୌଥ ଉଦ୍ୟୋଗ ଦେଶରେ କୋଇଲା ପ୍ରକ୍ରିୟାକରଣ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିବ। ଏହା ଦେଶୀୟ କୋଇଲା ଗ୍ୟାସୀକରଣ (Gasification) ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବ ଏବଂ ଭାରତର ପ୍ରଚୁର କୋଇଲା ସମ୍ପଦକୁ ଉଚ୍ଚ ମୂଲ୍ୟଯୁକ୍ତ କେମିକାଲ୍ସରେ ପରିଣତ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ଆଞ୍ଚଳିକ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି କରିବ, ଦକ୍ଷତା ବିକାଶ ବଢ଼ାଇବ ଏବଂ ଆନୁଷଙ୍ଗିକ ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ମାଧ୍ୟମରେ ଆଞ୍ଚଳିକ ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ସେ ପ୍ରକାଶ କରିଛନ୍ତି।
BCGCL ହେଉଛି କୋଲ୍ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) ମଧ୍ୟରେ ଗଠିତ ଏକ ଯୌଥ ଉଦ୍ୟୋଗ କମ୍ପାନୀ, ଯେଉଁଥିରେ CIL ର ୫୧% ଏବଂ BHEL ର ୪୯% ସେୟାର୍ (ଇକ୍ୱିଟି) ରହିଛି। କୋଲ୍ ଇଣ୍ଡିଆର ଏକ ସହଯୋଗୀ କମ୍ପାନୀ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL), ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ ପ୍ରାୟ ୩୫୦ ଏକର କୋଇଲା ଖଣି ଅଞ୍ଚଳର ଜମି ଯୋଗାଇ ଦେଇଛି, ଯେଉଁଠାରେ ଏହି BCGCL ପ୍ରକଳ୍ପ ନିର୍ମାଣ କରାଯିବ। ଏହା ବ୍ୟତୀତ, ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା କୋଇଲା ଚାହିଦା ପୂରଣ କରିବାକୁ MCL ତା’ର ଇବ୍ ଭ୍ୟାଲି ୱାସେରିରୁ ବାର୍ଷିକ ୦.୭୯ ମିଲିୟନ ଟନ୍ (Mty) ଧୁଆ କୋଇଲା (Washed coal) ଏବଂ ୧.୧୯ ମିଲିୟନ ଟନ୍ କୋଇଲା ବର୍ଜ୍ୟ ଯୋଗାଇଦେବ।
ଭାରତ ସରକାରଙ୍କ ‘ନ୍ୟାସନାଲ୍ କୋଲ୍ ଗ୍ୟାସିଫିକେସନ୍ ମିଶନ’ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରୁଥିବା ଏହି ପ୍ରକଳ୍ପ, ସାରା ଦେଶରେ ଭବିଷ୍ୟତର କୋଇଲା-ରୁ-କେମିକାଲ୍ସ ପ୍ରକଳ୍ପଗୁଡ଼ିକ ପାଇଁ ଏକ ଆଦର୍ଶ ମଡେଲ୍ ସାବ୍ୟସ୍ତ ହେବ। କୋଇଲା ଗ୍ୟାସୀକରଣ ମାଧ୍ୟମରେ ବାର୍ଷିକ ପ୍ରାୟ ୦.୬୬ ମିଲିୟନ ଟନ୍ (MTPA) ‘ଟେକ୍ନିକାଲ୍ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍’ ଉତ୍ପାଦନ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ଅଟେ। କେମିକାଲ୍ ଉତ୍ପାଦନ ପାଇଁ ଭାରତରେ ବିକଶିତ ହୋଇଥିବା ‘ପ୍ରେସରାଇଜ୍ଡ ଫ୍ଲୁଇଡାଇଜ୍ଡ ବେଡ୍ ଗ୍ୟାସିଫିକେସନ୍’ (PFBG) ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଥିବା ଏହା ଦେଶର ଅଗ୍ରଣୀ ବାଣିଜ୍ୟିକ ସ୍ତରର ପ୍ରୟାସଗୁଡ଼ିକ ମଧ୍ୟରୁ ଅନ୍ୟତମ।
୨୫,୦୦୦ କୋଟିରୁ ଅଧିକ ଟଙ୍କାର ଆନୁମାନିକ ପୁଞ୍ଜିନିବେଶରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ହାଇ-ଲେଭଲ୍ କ୍ଲିୟରାନ୍ସ ଅଥରିଟି (HLCA) ଦ୍ୱାରା ‘ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ’ ମିଳିସାରିଛି। ଏହା ସହିତ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଦ୍ୱାରା ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଇଛି, ଯାହା ଦେଶୀୟ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତିର ବାଣିଜ୍ୟିକରଣକୁ ଏକ ବଡ଼ ସଫଳତା ଦେବ।
ସମସ୍ତ ପ୍ରମୁଖ ଆଇନଗତ ଓ ପରିବେଶ ସମ୍ବନ୍ଧୀୟ ମଞ୍ଜୁରୀ, ଗୁରୁତ୍ୱପୂର୍ଣ୍ଣ ଅନୁମତି ଏବଂ ଆର୍ଥିକ ସହାୟତା ସୁରକ୍ଷିତ ହେବା ସହ ‘ଲମ୍ପ ସମ୍ ଟର୍ଣ୍ଣକି’ (Lump Sum Turnkey) କାର୍ଯ୍ୟାନ୍ୱୟନ ପ୍ୟାକେଜ୍ ପ୍ରଦାନ କରାଯାଇ ସାରିଛି। ଏହି ପ୍ରକଳ୍ପକୁ ସେପ୍ଟେମ୍ବର ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଦେଶୀୟ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲାକୁ ଉଚ୍ଚମୂଲ୍ୟର କେମିକାଲ୍ ଉତ୍ପାଦରେ ପରିଣତ କରିବାରେ ଭାରତର ସାମର୍ଥ୍ୟକୁ ପ୍ରଦର୍ଶନ କରୁଥିବା ଏକ ପ୍ରମୁଖ ଫ୍ଲାଗସିପ୍ ପ୍ରକଳ୍ପ ଭାବେ ଉଦ୍ଭାସିତ ହେବ।