ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଶାସକ ଲେବର ପାର୍ଟିରେ ବିଦ୍ରୋହ ପାଇଁ ଇସ୍ତଫା

ଲଣ୍ଡନ, ୨୨/୦୬: ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା। ସୋମବାର ନିଜ ପଦ ଏବଂ ଲେବର ପାର୍ଟି ନେତୃତ୍ୱରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି କୀର ଷ୍ଟାର୍ମର। ନିଜ ଦଳର ସାଂସଦମାନଙ୍କ ମଧ୍ୟରେ ବଢୁଥିବା ବିଦ୍ରୋହ ଏବଂ କ୍ରମାଗତ ରାଜନୈତିକ ଚାପ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଷ୍ଟାର୍ମର ଏକ ଘୋଷଣାରେ କହିଛନ୍ତି ଯେ ସେ ପାର୍ଟି ଏବଂ ଦେଶର ସ୍ୱାର୍ଥ ପାଇଁ ପଦତ୍ୟାଗ କରୁଛନ୍ତି ଏବଂ ପରବର୍ତ୍ତୀ ନେତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବେ।

ସୂଚନାଯୋଗ୍ୟ, ଷ୍ଟାର୍ମରଙ୍କ ନେତୃତ୍ୱରେ ଲେବର ପାର୍ଟି ୨୦୨୪ ଜୁଲାଇ ନିର୍ବାଚନରେ ବିରାଟ ବିଜୟ ଲାଭ କରିଥିଲା। ଏହା ଦ୍ୱାରା ୧୪ ବର୍ଷର କଞ୍ଜରଭେଟିଭ୍ ପାର୍ଟି ଶାସନର ଅନ୍ତ ଘଟିଥିଲା। ରିଷି ସୁନାକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ସରକାରକୁ ଗାଦିଚ୍ୟୁତ କରି ଷ୍ଟାର୍ମର ୫ ଜୁଲାଇ ୨୦୨୪ ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

କିନ୍ତୁ ମାତ୍ର ଦୁଇ ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଙ୍କଟର ସମ୍ମୁଖୀନ ହୋଇଥିଲା। ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଗତ କିଛି ମାସ ଧରି ଲେବର ପାର୍ଟିର ଅଧିକାଂଶ ସାଂସଦ ଷ୍ଟାର୍ମରଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଉଥିଲେ।