ପ୍ରଳୟଙ୍କରୀ ଭୂମିକମ୍ପ: ୧ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା
ଧ୍ୱଂସ ସ୍ତୁପରେ ପରିଣତ ହେଲା ସହର, ଭଗ୍ନାବଶେଷ ତଳୁ ଚାଲିଛି ଜୀବନ ଖୋଜା
କାରାକାସ, ୨୫/୦୬: ଭେନେଜୁଏଲାରେ ପ୍ରଳୟ ଆଣିଛି ଭୂମିକମ୍ପ। ମାତ୍ର ୪୫ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ଝଟକା ଏତେ ତୀବ୍ର ଯେ, ୧୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଆକଳନ କରିଛି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ। କିନ୍ତୁ ଭେନେଜୁଏଲାର ସରକାରୀ ତଥ୍ୟ ଅନୁସାରେ, ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି।
ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୧ ଓ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ଥିଲା ୭.୫। ଭୂକମ୍ପ ପରେ କାରିବିଆନ୍ ଦ୍ୱୀପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ରାଜଧାନୀ କାରାକାସ୍ର ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଧ୍ୱଂସ ସ୍ତୁପ ତଳୁ ଚାଲିଛି ଜୀବନ ଖୋଜା। ବହୁତଳ କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷରେ ଅନେକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅନେକ ସୁ-ଉଚ୍ଚ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଯୋଗୁଁ ମାଇକେଟିଆର ସିମୋନ୍ ବୋଲିଭର ଅନ୍ତର୍ଜାତୀୟ ବିମାନବନ୍ଦରକୁ ବନ୍ଦ କରିବାକୁ ପଡ଼ିଛି।
ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ବୁଧବାର ଦିନ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସେ ସ୍ୱୀକାର କରିଥିଲେ ମଧ୍ୟ ସରକାରୀ ମୃତ୍ୟୁ ସଂଖ୍ୟା କିମ୍ବା ଆହତଙ୍କ ସଂଖ୍ୟା ଉଲ୍ଲେଖ କରିନାହାନ୍ତି।
ପ୍ରାରମ୍ଭିକ ଭୂମିକମ୍ପ ପରଠାରୁ ୨୦ ରୁ ଅଧିକ ଥର ପରବର୍ତ୍ତୀ ଝଟକା ରେକର୍ଡ କରାଯାଇଛି, ଯାହା ଆହୁରି ଉଦ୍ଧାର କାର୍ଯ୍ୟକୁ ଜଟିଳ କରିବା ନେଇ ଚିନ୍ତା ସୃଷ୍ଟି କରିଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, କାରାକାସରୁ ପ୍ରାୟ ୧୬୦ କିଲୋମିଟର (୧୦୦ ମାଇଲ) ପଶ୍ଚିମରେ ୭.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଗୋଟିଏ ମିନିଟ୍ ପରେ, ସେହି ଅଞ୍ଚଳରେ ପୁଣି ଶକ୍ତିଶାଳୀ ୭.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।