ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଡ଼ଙ୍ଗାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ସନ୍ଦେହେ ଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ବିଦ୍ୟାଳୟ ନିକଟରେ ଥିବା କସ୍ତୁରିବା ଛାତ୍ରୀନିବାସରେ ରହି ପାଠ ପଢୁଥିଲେ । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ସୂଚନା ମୁତାବକ ଆଜି ସକାଳ ୬ଟାରେ ଏହି ଛାତ୍ରୀ ଜଣଙ୍କର କୌଣସି କାରଣରୁ ବାନ୍ତି ହୋଇଥିଲା।

ତେବେ ତାଙ୍କୁ ପ୍ରଥମେ ବାନ୍ତି ବଟିକା ଦିଆଯାଇଥିବା ବେଳେ, ପରେ କଙ୍କଡାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଆସିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଛାତ୍ରୀଙ୍କ ଘର ବିରାଶଳ ପଞ୍ଚାୟତର ପନାସିଆ ଗାଁରେ ହୋଇଥିବା ବେଳେ, ବିଦ୍ୟାଳୟ କତୃପକ୍ଷଙ୍କ ଅବହେଳାରୁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି କହିଛନ୍ତି ଡାକ୍ତର। ତେବେ ଖବର ପାଇ ମେଡିକାଲରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, କାମାକ୍ଷା ନଗର ଉପଜିଲ୍ଲାପାଳଙ୍କ ସହ କାମାକ୍ଷାନଗର ଏସଡିପିଓ ଓ କଙ୍କଡାହାଡ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।