କାବେରୀ ନଦୀରେ ୫ ଜଣଙ୍କ ସଲୀଳ ସମାଧି

ନଦୀରେ ବୁଡ଼ିଗଲା ଗୋଟିଏ ପରିବାର

ବେଙ୍ଗାଲୁରୁ, ୨୫/୦୬: କାବେରୀ ନଦୀରେ ବୁଡ଼ି ୪ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକର ମାଣ୍ଡ୍ୟା ମୁଥାଥି ନିକଟରେ ଗାଧୋଇବା ବେଳେ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି। ପହଁରି ଭିଡିଓ କରିବା ସମୟରେ ୫ ନିଖୋଜ ହୋଇଥିଲେ। ଶେଷରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ଚୈତ୍ରା (୨୦), ଶ୍ୱେତା (୩୮), ବିଜୟମ୍ମା (୫୦), ପ୍ରିୟଙ୍କା (୨୮) ଓ ମହେଶ।

ସୂଚନା ମୁତାବକ, ପରିବାରର ସଦସ୍ୟମାନେ ମୁଥାଥିର ମୁତ୍ଥେଟ୍ଟରାୟ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ପ୍ରାୟ ସନ୍ଧ୍ୟା ୪:୪୫ ରେ ମନ୍ଦିର ପରିଦର୍ଶନ ପରେ ସେମାନେ କାବେରୀ ନଦୀ କୂଳକୁ ଯାଇଥିଲେ। ସେଠାରେ ଫଟୋ ଏବଂ ଭିଡିଓ ଉଠାଇବା ସମୟରେ ସେମାନେ ନଦୀରେ ପ୍ରବଳ ସ୍ରୋତରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହି ଘଟଣା ଦେଖି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହାଲାଗୁରୁ ପୋଲିସ୍ ଏବଂ ଫାୟାର୍ ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲେ। ରାତି ଭିତରେ ପାଞ୍ଚଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହାଲାଗୁର ପୋଲିସ ତଦନ୍ତ ଆରମ୍ଭ କରିଛି।