ଶୋଏବ ଅଖତରଙ୍କ ଭାଇଙ୍କ ଅନ୍ତିମ ସଂସ୍କାରରେ ପହଲଗାମ ହମଲା ଷଡ଼ଯନ୍ତ୍ରକାରୀ

ସାମନାକୁ ଆସିଲା ଭିଡ଼ିଓ ଓ ଫଟୋ

ଇସ୍ଲାମାବାଦ, ୨୭/୦୬: ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତରଙ୍କ ବଡ଼ ଭାଇ ଶାହିଦ୍ ଅଖତରଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅନ୍ତିମ ସଂସ୍କାରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT)ର ଆତଙ୍କୀ ସୈଫୁଲ୍ଲା କାସୁରୀ ସମେତ ଅନେକ ଆତଙ୍କବାଦୀ ନେତା ଉପସ୍ଥିତ ଥିବା ଭିଡିଓ ଭାଇରାଲ୍ ହେବା ପରେ ଏହା ବିବାଦୀୟ ହୋଇଛି।

ଶାହିଦ୍ ଅଖତର ଜୁନ୍ ୨୪ ତାରିଖରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ଇସ୍ଲାମାବାଦର H-୮ କବରସ୍ଥାନରେ ସମ୍ପନ୍ନ ହୋଇଥିଲା।

କିନ୍ତୁ ଅନ୍ତିମ ସଂସ୍କାରର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ଦେଖାଦେଇଛି ଯେ, ଲସ୍କର-ଏ-ତୋଇବାର ଉପ-ମୁଖ୍ୟ ସୈଫୁଲ୍ଲା କାସୁରୀ ଉପସ୍ଥିତ ଅଛି। ସୈଫୁଲ୍ଲା କାସୁରୀ ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଚଳିତ ବର୍ଷ ଏପ୍ରିଲ୍ ମାସରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଲସ୍କର-ଏ-ତୋଇବା ଆତଙ୍କୀ ସଙ୍ଗଠନ ଭାରତ ସମେତ ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ। ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍ ସାଇଦ୍ ସହ ମଧ୍ୟ ସୈଫୁଲ୍ଲା ଜଡ଼ିତ।

ଏଥିସହ ଶାହିଦଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଲସ୍କରର ରାଜନୈତିକ ଶାଖା ପାକିସ୍ତାନ୍ ମର୍କାଜୀ ମୁସଲିମ୍ ଲିଗ୍ (PMML)ର ନେତା ଇନାମ୍ ଉର୍ ରେହମାନ୍ କାମ୍ବୋହ୍ ଏବଂ ଅନ୍ୟାନ୍ୟ ଲସ୍କର ସହ ଜଡ଼ିତ ଆତଙ୍କୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଘଟଣା ପରେ ପାକିସ୍ତାନର ଅସଲ ଚେହେରା ସାମନାକୁ ଆସିଛି। ଗୋଟିଏ ପଟେ ପାକିସ୍ତାନ ବିଶ୍ୱ ସାମ୍ନାରେ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉନଥିବା ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ଖୋଲାଖୋଲି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ପାକିସ୍ତାନର ଅନେକ ନେତା ଓ ମନ୍ତ୍ରୀ ଆତଙ୍କବାଦୀଙ୍କ ସହ ନଜର ଆସିଛନ୍ତି।