ଓଡ଼ିଶା ପୋଲିସକୁ ମିଳିବ ସମ୍ମାନଜନକ ‘ନିଶାନ’

ହାତରେ ସ୍ୱତନ୍ତ୍ର ଏମ୍ବ୍ଲେମ ପିନ୍ଧିବାର ଅଧିକାର ପାଇବେ ପୋଲିସ ଫୋର୍ସ

ଭୁବନେଶ୍ୱର, ୨୭/୦୬: ଓଡ଼ିଶା ପୋଲିସକୁ ମିଳିବ ଦେଶର ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ବା ‘ନିଶାନ’ ସମ୍ମାନ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମାନ ପ୍ରଦାନ କରିବେ।

ଓଡ଼ିଶା ପୋଲିସ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଗତ ଏପ୍ରିଲ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପୋଲିସକୁ ଦେଶର ସର୍ବୋଚ୍ଚ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ ପ୍ରଦାନ କରିବାକୁ ଅନୁମୋଦନ ଦେଇଥିଲେ।

କ’ଣ ଏହି ସମ୍ମାନ?

ସର୍ବୋଚ୍ଚ ସମ୍ମାନ: ‘ପ୍ରେସିଡେଣ୍ଟସ୍ ପୋଲିସ କଲର’ ବା ‘ନିଶାନ’ ହେଉଛି ଗୋଟିଏ ପୋଲିସ ଫୋର୍ସ ବା ସେନା ବାହିନୀକୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ।

କାହିଁକି ମିଳିଲା: ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ବିପର୍ଯ୍ୟ ମୁକାବିଲା, ମାଓବାଦୀ ବିରୋଧୀ ଅଭିଯାନ, ଆଧୁନିକ ପୋଲିସିଂ, ପ୍ରଶିକ୍ଷଣ, କର୍ମଚାରୀ କଲ୍ୟାଣ ଏବଂ ମହିଳା ସମ୍ମିଳନ ପାଇଁ କରାଯାଉଥିବା ପ୍ରୟାସ ପାଇଁ ଏହି ସ୍ୱୀକୃତି ମିଳିଛି।

ଯୋଗ୍ୟତା: ଏହି ପୁରସ୍କାର ପାଇବା ପାଇଁ ଗୋଟିଏ ପୋଲିସ ବାହିନୀକୁ ୨୫ ବର୍ଷର ଅସାଧାରଣ ସେବା ପ୍ରଦର୍ଶନ କରିବାକୁ ପଡ଼େ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୦୨୬ରେ, ଓଡ଼ିଶାର ୯୧ତମ ପ୍ରତିଷ୍ଠା ଦିବସ ଅବସରେ ଏହି ଅନୁମୋଦନ ଆସିଥିଲା। ଓଡ଼ିଶା ପୋଲିସ ୧ ଏପ୍ରିଲ ୧୯୩୬ ରେ ଗଠିତ ହୋଇଥିଲା। ଏହି ସମ୍ମାନ ପାଇବା ପରେ ଓଡ଼ିଶା ପୋଲିସର ପତାକାରେ ଏକ ବିଶେଷ ପ୍ରତୀକ ଚିହ୍ନ ଲଗାଯିବ। ଏହି ବାହିନୀର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବାମ ହାତ ସ୍ଲିଭ୍‌ରେ ଏକ ସ୍ୱତନ୍ତ୍ର ଏମ୍ବ୍ଲେମ୍ ପିନ୍ଧିବାର ଅଧିକାର ପାଇବେ।

ଏହି ସମ୍ମାନ ସହିତ ଓଡ଼ିଶା ପୋଲିସ ଦେଶର ସେହି କିଛି ବଛା ବଛା ପୋଲିସ ବାହିନୀ ମଧ୍ୟରେ ସାମିଲ ହୋଇଗଲା ଯେଉଁମାନେ ଏହି ସମ୍ମାନ ପାଇସାରିଛନ୍ତି। ଏହା ଓଡ଼ିଶା ପୋଲିସର ମୂଳ ମନ୍ତ୍ର “ସେବା ଏବଂ ସୁରକ୍ଷା” କୁ ଆହୁରି ମଜବୁତ କରୁଛି। ଏହା କୌଣସି ଫୋର୍ସକୁ ଜୀବନ ସାରା ପାଇଁ କେବଳ ଥରେ ଦିଆଯାଇଥାଏ।

ଏହା ପୂର୍ବରୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ହିମାଚଳ ପ୍ରଦେଶ, ଗୁଜରାଟ, ଜମ୍ମୁ ଓ କାଶ୍ମୀର, ତ୍ରିପୁରା, ହରିୟାଣା, ଦିଲ୍ଲୀ ଓ ଆସାମ ପୋଲିସକୁ ‘ପ୍ରେସିଡେଣ୍ଟସ କଲର’ ବା ‘ନିଶାନ’ ସମ୍ମାନ ମିଳି ସାରିଛି।