ଝାରସୁଗୁଡ଼ା ପକ୍ସୋ କୋର୍ଟଙ୍କ ଦ୍ୱାରା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
ଜରିମାନା ଅନାଦେୟ ହେଲେ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ
ଝାରସୁଗୁଡ଼ା, ୨୭/୦୬: ଝାରସୁଗୁଡ଼ାସ୍ଥିତ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଜଣେ ୬ ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ଦେବା ମାମଲାରେ ଏକ ୩୦ ବର୍ଷୀୟ ଯୁବକକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଆଇ.ବି. ଥର୍ମାଲ୍ ପମ୍ପହାଉସ୍ପଡ଼ାର ବାସିନ୍ଦା ଜୟକୃଷ୍ଣ ସିଂହଙ୍କ ପୁଅ ଅଜୟ ସିଂହଙ୍କୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-ତଥା-ସ୍ୱତନ୍ତ୍ର କୋର୍ଟ ବିଚାରପତି ସୁଶ୍ରୀ ପୂଜା ସାରଙ୍ଗୀ ପକ୍ସୋ ଆକ୍ଟର ଧାରା ୬ ଏବଂ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୬୫(୨) ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବନହରପାଲି ଥାନା କେସ୍ ନମ୍ବର ୧୨୮ (ତାରିଖ: ୨୫ ଜୁନ୍, ୨୦୨୫) ରୁ ଉଦ୍ଭବ ସି.ଟି. (ସ୍ପେଶାଲ) କେସ୍ ନମ୍ବର ୫୦/୨୦୨୫ ର ବିଚାର କରି କୋର୍ଟ ଆଜି ଏହି ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଅପରାଧ ୨୨ ଜୁନ୍, ୨୦୨୫ ରେ ଘଟିଥିଲା। ବିଚାରପତି ଅଜୟ ସିଂହଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଛି। ଜରିମାନା ବାବଦ ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ। ପକ୍ସୋ ଆକ୍ଟର ପ୍ରାବଧାନ ଅନୁଯାୟୀ BNS ଧାରା ୬୫(୨) ଅନ୍ତର୍ଗତ ପୃଥକ ଭାବେ କୌଣସି ଦଣ୍ଡାଦେଶ ଦିଆଯାଇ ନାହିଁ। ବିଚାରାଧୀନ କଏଦୀ ଭାବେ ସେ ଜେଲ୍ରେ ବିତାଇଥିବା ସମୟକୁ ଏହି ଦଣ୍ଡାଦେଶ ଅବଧିରୁ ବାଦ୍ ଦିଆଯିବ।
ଅପରାଧର ଗମ୍ଭୀରତା ଏବଂ ନାବାଳିକା ପୀଡ଼ିତା ମାନସିକ ସ୍ତରରେ ସାମ୍ନା କରିଥିବା ଆଘାତକୁ ଦୃଷ୍ଟିରେ ରଖି କୋର୍ଟ ନାଲସା (NALSA) ପୀଡ଼ିତା କ୍ଷତିପୂରଣ ଯୋଜନା ଅଧୀନରେ ତାଙ୍କୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି। ଏହି ଅର୍ଥର ଅପବ୍ୟବହାର ରୋକିବା ପାଇଁ ପୀଡ଼ିତା ସାବାଳିକା ହେବା ପର୍ଯ୍ୟନ୍ତ ଏହାକୁ ଏକ ଜାତୀୟକରଣ ବ୍ୟାଙ୍କରେ ତାଙ୍କ ନାମରେ ସୁଧ ମିଳୁଥିବା ସ୍ଥାୟୀ ଜମା (ଫିକ୍ସଡ୍ ଡିପୋଜିଟ୍) ଆକାରରେ ରଖାଯିବ। ପୂର୍ବରୁ ଯଦି କୌଣସି କ୍ଷତିପୂରଣ ମିଳିଥାଏ, ତେବେ ତାହା ଏଥିରେ ଆଡଜଷ୍ଟ (ସମାୟୋଜିତ) କରାଯିବ।ସମସ୍ତ ପକ୍ସୋ ମାମଲାରେ ପୀଡ଼ିତା-କେନ୍ଦ୍ରିକ ଆଭିମୁଖ୍ୟ ଆପଣାଇବା ସହ ଦ୍ରୁତ ତଦନ୍ତ ଏବଂ ଶୀଘ୍ର ବିଚାର ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶୃତିବଦ୍ଧ ବୋଲି ଜଣାପଡ଼ିଛି।