ଉତ୍କଳ ବିଶ୍ୱବିଦ୍ୟାଳୟରେ ଗଜପତି ଦିବସ ପାଳିତ

“ସମର, ସମ୍ରାଟ ଓ ସନାତନ : ଗଜପତି କପିଳେନ୍ଦ୍ର ଦେବ” ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର, ୨୯/୦୬: ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ବିୟଣ୍ଡ ହେରିଟେଜ୍‌ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟର ଏମ୍.କେ.ସି.ଜି. ପ୍ରେକ୍ଷାଳୟରେ ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ରାଜ୍ୟାଭିଷେକ ଦିବସ “ଗଜପତି ଦିବସ” ପାଳିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କପିଳେନ୍ଦ୍ର ଦେବଙ୍କ ଜୀବନଗାଥା ଉପରେ ଆଧାରିତ “ସମର, ସମ୍ରାଟ ଓ ସନାତନ : ଗଜପତି କପିଳେନ୍ଦ୍ର ଦେବ” ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କପିଳେନ୍ଦ୍ର ଦେବଙ୍କ ବୀରତ୍ୱ ଓ ଜୀବନୀ ଉପରେ ଆଲୋକପାତ କରିବା ସହ କପିଳେନ୍ଦ୍ର ଦେବଙ୍କ ଶାସନ ସମୟ ଓଡ଼ିଆ ଏବଂ ଓଡ଼ିଆତ୍ବ ପାଇଁ ସର୍ବଶ୍ରେଷ୍ଠ ସମୟ ଥିଲା ବୋଲି ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ “ଲକ୍ଷେ ରାଜାର ମଉଡ଼ମଣି : ଗଜପତିଙ୍କ ଗୌରବମୟ ଗାଥା” ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚିତ ହୋଇଥିଲା। ଏଥିସହ “ଓଡ଼ିଶାର ଗୌରବମୟ ଇତିହାସ ସନ୍ଦର୍ଭରେ ଗବେଷଣା ଏବଂ ଶିକ୍ଷାର ନବଜାଗରଣ” ଓ “ଆଞ୍ଚଳିକ ନାୟକରୁ ଜାତୀୟ ପ୍ରତୀକ” ଶୀର୍ଷକକୁ ନେଇ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ଐତିହାସିକ ପ୍ରଫେସର କୁଲଦୀପ୍ ଚନ୍ଦ୍ ଅଗ୍ନିହୋତ୍ରୀ, ଜାତୀୟ ପାଣ୍ଡୁଲିପି ମିଶନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।