ମୁଖ୍ୟ ଶାସନ ସଚିବଙ୍କ ପ୍ରମୁଖ ବ୍ୟକ୍ତିଗତ ସଚିବ ସୁରେଶ ଚନ୍ଦ୍ର କରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଶ୍ରୀ କରଙ୍କ ଅବସରକାଳୀନ ସୁସ୍ଥ ଓ ସୁଖମୟ ଜୀବନ କାମନା କଲେ ଅନୁ ଗର୍ଗ

ଭୁବନେଶ୍ୱର, ୩୦/୦୬: ମୁଖ୍ୟ ଶାସନ ସଚିବଙ୍କ ପ୍ରମୁଖ ବ୍ୟକ୍ତିଗତ ସଚିବ ଶ୍ରୀ ସୁରେଶ ଚନ୍ଦ୍ର କରଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଲୋକସେବା ଭବନ ଦ୍ଵିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ପାଇଁ ଦୀର୍ଘ ୩୫ ବର୍ଷର ନିଷ୍ଠାପର ସେବା ଓ ଦାୟିତ୍ଵ ନିର୍ବାହ ପରେ ଶ୍ରୀ କର ଆଜି ସରକାରୀ ସେବାରୁ ନିବୃତ୍ତି ନେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ମୁଖ୍ୟ ଶାସନ ସଚିବଙ୍କ ସ୍ଵତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ କଲ୍ୟାଣ କୁମାର ରଥ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଦେବେନ୍ଦ୍ର କୁମାର ଜେନା ପରିଚାଳନା କରିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିଜ ଉଦବୋଧନରେ ଶ୍ରୀ କରଙ୍କ ନିଷ୍ଠା, କର୍ମଦକ୍ଷତା ଏବଂ ସମର୍ପିତ ସେବାଭାବର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଶ୍ରୀ କର ନିଜର ଦୀର୍ଘ କର୍ମମୟ ଜୀବନରେ ବିଭିନ୍ନ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରି ସରକାରୀ ପ୍ରଶାସନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହା ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ କରଙ୍କ ଅବସରକାଳୀନ ସୁସ୍ଥ ଓ ସୁଖମୟ ଜୀବନ କାମନା କରି ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଗଣ, କର୍ମଚାରୀ ଓ ସହକର୍ମୀମାନେ ଉପସ୍ଥିତ ରହି ଶ୍ରୀ କରଙ୍କ ଦୀର୍ଘ ସେବାକାଳୀନ ଅବଦାନକୁ ସ୍ମରଣ କରିବା ସହ ତାଙ୍କୁ ଭାବବିହ୍ୱଳ ବିଦାୟ ଜଣାଇଥିଲେ ।

ଶେଷରେ ଶ୍ରୀଯୁକ୍ତ କର ନିଜ ବକ୍ତବ୍ୟରେ ମୁଖ୍ୟ ଶାସନ ସଚିବଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ, ସହକର୍ମୀ ଏବଂ କର୍ମଚାରୀମାନଙ୍କ ନିକଟରୁ ପାଇଥିବା ସହଯୋଗ ଓ ସ୍ନେହ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।