DNA ରିପୋର୍ଟ ଖୋଲିଲା ଲୋମଟାଙ୍କୁରା ହତ୍ୟାକାଣ୍ଡର ରହସ୍ୟ

ଅଢ଼େଇ ବର୍ଷ ତଳେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ

ମୟୂରଭଞ୍ଜ, ୦୪/୦୭: DNA ରିପୋର୍ଟ ଖୋଲିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ ରହସ୍ୟ। ଅଢେଇ ବର୍ଷ ତଳର ବୀଭତ୍ସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇଛି। ଡିଏନଏ ପରୀକ୍ଷା ରିପୋର୍ଟରେ ମୃତକଙ୍କ ପରିଚୟ ନିଶ୍ଚିତ ହେବା ପରେ ମାମଲାର ରହସ୍ୟ ଉନ୍ମୋଚନ ହୋଇଛି।

ଏହି ମାମଲାରେ ଜଣେ ନାବାଳକଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସଙ୍କ କହିବା ଅନୁସାରେ, ଗୁଣିଗାରେଡ଼ି ସନ୍ଦେହରେ ଯୁବରାଜ ସିଂହଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ତାଙ୍କ ମୃତଦେହକୁ ଏକ ବସ୍ତାରେ ଭରି, ସେଥିରେ ପଥର ବାନ୍ଧି ଉଦଳା ଥାନା ଅଞ୍ଚଳର ଏକ କାଜୁ ଜଙ୍ଗଲ ନିକଟସ୍ଥ କୂଅରେ ଫିଙ୍ଗି ଦିଆଯାଇଥିଲା।

ମୃତକଙ୍କ ଡିଏନଏ ତାଙ୍କ ପୁଅଙ୍କ ଡିଏନଏ ସହ ମେଳ ଖାଇବା ପରେ ପୋଲିସ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଥିଲା।

ସୂଚନା ଅନୁଯାୟୀ, ଜୁବୁରାଜ ସିଂହଙ୍କୁ ବାଣସାହି (ଡୁଗୁଧା) ଗାଁକୁ ଭୂତପ୍ରେତ ଛଡ଼ାଇବା (ଝଡ଼ାଫୁଙ୍କା) ପାଇଁ ଡକାଯାଇଥିଲା ସେଠାରେ ସେ ଏକ ଭୋଜିରେ ଯୋଗ ଦେଇଥିଲେ। ତା’ପରେ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ ରହିଥିଲା।

ସେହି ସମୟରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଥିବା ପରିତ୍ୟକ୍ତ କୂଅରୁ ଜଣେ ଅଜଣା ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୀର୍ଘ ସମୟ ଧରି ପାଣିରେ ରହିବା ଏବଂ ଶରୀର ପଚିଯିବା କାରଣରୁ ସାଧାରଣ ଉପାୟରେ ମୃତକଙ୍କ ପରିଚୟ ମିଳିନଥିଲା।

ଏହା ପରେ ମୃତଦେହ ସହ ମେଳ ଖାଉଥିବା ସମସ୍ତ ନିଖୋଜ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ଦୁଇଜଣଙ୍କୁ ସନ୍ଦେହ ତାଲିକାରେ ରଖାଗଲା। ସେମାନଙ୍କ ପରିବାର ସଦସ୍ୟଙ୍କ ଡିଏନଏ ପରୀକ୍ଷା ପାଇଁ ପଠାଯାଇଥିଲା।

୨୯ ଜୁନ ୨୦୨୬ରେ ଡିଏନଏ ପରୀକ୍ଷାରେ ମୃତଦେହଟି ଉଦଳା ଥାନା ଅନ୍ତର୍ଗତ ସୁଖୁଆ ସାହି ଗାଁର ଜୁବୁରାଜ ସିଂହଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ତାଙ୍କ ପୁଅ ବିଶ୍ୱନାଥ ସିଂହଙ୍କ ଡିଏନଏ ସହ ମେଳ ଖାଇବା ପରେ ଏହି ପରିଚୟ ନିଶ୍ଚିତ ହୋଇଥିଲା।

ତଦନ୍ତରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଯୁବରାଜ ସିଂହଙ୍କୁ ଗୁଣି‌ ଗାରେଡ଼ି କରୁଥିବାର ସନ୍ଦେହ କରୁଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ସଙ୍ଗୌରାମୋହନ ସିଂହଙ୍କ ପିଲାର ମୃତ୍ୟୁ ପାଇଁ ଯୁବରାଜ ସିଂହ ଦାୟୀ। ଏହି ସନ୍ଦେହରୁ ସେମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି।

ଏହି ବିଭତ୍ସ ହତ୍ୟାକାଣ୍ଡରେ ଜଣେ ନାବାଳକ ସହ ତିନି ଜଣଙ୍କୁ ଗିରଫ କରାଯାଇଛି। ୨ ଜୁଲାଇ ୨୦୨୬ରେ ସଙ୍ଗୌରାମୋହନ ସିଂହ ଓ ନରହରି ସିଂହଙ୍କୁ ଗିରଫ କରାଯାଇ ଉଦଳା SDJM କୋର୍ଟରେ ହାଜର କରାଯାଇଥିଲା।

ନାବାଳକ ଅଭିଯୁକ୍ତଙ୍କୁ ୩ ଜୁଲାଇ ୨୦୨୬ରେ ବାରିପଦାର ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଥିଲା।