୨୩ ଜଣଙ୍କୁ ଆତଙ୍କୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ
୨୩ ଜଣଙ୍କ ମଧ୍ୟରୁ ୧୭ ପାକିସ୍ତାନୀ ଓ ୬ ଭାରତୀୟ ନାଗରିକ
ସମସ୍ତେ ପାକିସ୍ତାନ, PoKରେ ରହି ଆତଙ୍କୀ କାର୍ଯ୍ୟରେ ଲିପ୍ତ
ନୂଆଦିଲ୍ଲୀ, ୦୪/୦୭: ଆତଙ୍କବାଦ ବିରୋଧୀ ଅଭିଯାନ ସ୍ୱରୂଫ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୩ ଜଣଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଗୃହ ମନ୍ତ୍ରଣାଳୟ ଜାରି କରିଥିବା ସୂଚନା ଅନୁଯାୟୀ, ଏହି ଘୋଷିତ ୨୩ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୧୭ ଜଣ ପାକିସ୍ତାନୀ ନାଗରିକ ଏବଂ ୬ ଜଣ ଭାରତୀୟ ନାଗରିକ ଅଛନ୍ତି। ସମସ୍ତେ ପାକିସ୍ତାନ ଏବଂ ପାକ୍-ଅଧୀନ କାଶ୍ମୀର (PoK) ରେ ରହି ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ଥିବା ଅଭିଯୋଗ ରହିଛି।
ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ସହ ସମ୍ପର୍କ ରଖିଥିବା ସୂଚନା ରହିଛି। ଏହା ଛଡ଼ା ସେମାନେ ଜମାତ-ଉଦ୍-ଦାୱା ଏବଂ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ସହିତ ମଧ୍ୟ ଜଡ଼ିତ ଥିବା କୁହାଯାଇଛି।
କେନ୍ଦ୍ର ସରକାର Unlawful Activities (Prevention) Act (UAPA) ର ଧାରା ୩୫ ଅନୁଯାୟୀ ଏହି ୨୩ ଜଣଙ୍କୁ ଆତଙ୍କବାଦୀ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ଧାରା ଅନୁଯାୟୀ ଆତଙ୍କବାଦୀ ଘୋଷିତ ହେବା ପରେ ସେମାନଙ୍କ ସମ୍ପତ୍ତି ଜବତ କରାଯିବା ସହ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯିବ ଏବଂ ଭାରତରେ ପ୍ରବେଶ ଉପରେ ପୂର୍ଣ୍ଣ ନିଷେଧ ଲାଗୁ ହୋଇପାରିବ।
କାଶ୍ମୀର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଆତଙ୍କବାଦୀ ନେଟୱର୍କକୁ ଦୁର୍ବଳ କରିବା ଲକ୍ଷ୍ୟରେ ନିଆଯାଇଥିବା ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଏହା ସହିତ ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ସ୍ଥିର ରହିଥିବା ସ୍ପଷ୍ଟ ହୋଇଛି।