ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ସରକାରଙ୍କ ହାଇ-ଭୋଲ୍‌ଟେଜ୍ ଏଜେଣ୍ଡା, ବିରୋଧୀ ଦଳର ରଣନୀତି ପ୍ରସ୍ତୁତ

ନୂଆଦିଲ୍ଲୀ, ୦୪/୦୭: ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଭାରତ ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି।

ଗତ ବଜେଟ ଅଧିବେଶନ ପରେ ରାଜନୈତିକ ପରିସ୍ଥିତି ବହୁତ ବଦଳିଛି। ତୃଣମୂଳ କଂଗ୍ରେସ (TMC)ର ୨୦ ବିଦ୍ରୋହୀ ସାଂସଦ, ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ୬ ସାଂସଦ ଏବଂ DMK-କଂଗ୍ରେସ ବିଭାଜନ ଯୋଗୁଁ ବିରୋଧୀ ପକ୍ଷ ଦୁର୍ବଳ ହୋଇଛି। NDAର ସଂଖ୍ୟା ବଢ଼ି ୩୪୮ ହେବା ସମ୍ଭାବନା ରହିଛି।

ସରକାର ଏହି ଅଧିବେଶନରେ ପୂର୍ବ ଅଧିବେଶନରେ ପାଳିତ ହୋଇନଥିବା ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ (ମହିଳା ସଂରକ୍ଷଣ ଓ ଡିଲିମିଟେସନ), ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ (ପଦ ଖାଲି କରିବା ନିୟମ ଯାହାର ଅର୍ଥ; ଯଦି ପ୍ରଧାନମନ୍ତ୍ରୀ, କୌଣସି ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀ ଗୁରୁତର ଅପରାଧରେ ୩୦ ଦିନ ଧରି ଜେଲରେ ରହନ୍ତି, ତେବେ ସେମାନଙ୍କ ପଦ ସ୍ୱତଃ ଖାଲି ହୋଇଯିବ।) ଏବଂ ଏକ ଦେଶ ଏକ ନିର୍ବାଚନ ବିଲ୍ ମଧ୍ୟ ପାସ୍ କରି ପାରନ୍ତି।

NEET ପେପର ଲିକ, ରାମ ମନ୍ଦିର ଦାନ ହେରଫେର, ମୂଲ୍ୟବୃଦ୍ଧି, ବେକାରୀ, ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ନେଇ ବିରୋଧୀ ଦଳ ଶାସନ ଦଳକୁ ଘେରିପାରନ୍ତି।