ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତିଚାରଣ

ଦେଶ ସ୍ବାଧୀନତା ପରେ ଶିକ୍ଷକତାକୁ ଆପଣାଇଥିବା ସାମନ୍ତ ନଟବର ସିଂହ ଥିଲେ ଜଣେ ସ୍ୱାଭିମାନୀ ମଣିଷ

ଭୁବନେଶ୍ୱର, ୦୪/୦୭: ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସାମନ୍ତ ନଟବର ସିଂହଙ୍କ ପୂଣ୍ୟତିଥିରେ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ବୃକ୍ଷପୂଜା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ବନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ମୃତିବନଠାରେ ୨୦୧୭ ମସିହାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ରୋପଣ କରାଯାଇଥିବା ବଉଳ ଗଛଟିକୁ ପୂଜାର୍ଚ୍ଚନା କରାଯିବା ପରେ ସେଦିନର ସ୍ମୃତିକୁ, ସ୍ମୃତିଚାରଣ କରିଥିଲେ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର । ସ୍ୱର୍ଗତ ସିଂହଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସୁର୍ବାାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଏଭଳି ଶହ ଶହ ସଂଗ୍ରାମୀ ଅଛନ୍ତି, ଭାରତବର୍ଷ ସ୍ୱାଧୀନ ହେବା ପରେ ରଚନାତ୍ମକ କାର୍ଯ୍ୟରେ ଲାଗିଗଲେ, ଆଉ କିଛି ଗାନ୍ଧୀ ଆଦର୍ଶକୁ ଭବିଷ୍ୟତ ବଂଶଧରଙ୍କ ଭିତରେ ପ୍ରବେଶ କରାଇବା ପାଇଁ ଶିକ୍ଷକତାକୁ ଆପଣେଇ ନେଇଥିଲେ । ସେଇଭଳି ଜଣେ ସଂଗ୍ରାମୀ ଥିଲେ ସାମନ୍ତ ନଟବର ସିଂହ । ସେ ଜେଲ ଯାଇନଥିଲେ ସତ, କିନ୍ତୁ ବାଗଲପୁର ମାଇନର ସ୍କୁଲ୍‌ରୁ ରଷ୍ଟିକେଟ ହୋଇଥିଲେ । ସେହି ପ୍ରମାଣ ପତ୍ର ବଳରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଣବନ୍ଦୀ ସଂଗ୍ରାମୀ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ ସ୍ୱାଭିମାନୀ ସ୍ୱର୍ଗତ ସିଂହ ତାହା ଗ୍ରହଣ କରିନଥିଲେ । ତାଙ୍କର ଅନ୍ତରଙ୍ଗ ବନ୍ଧୁ ବିରିଡ଼ି ବ୍ଲକର ପୂର୍ବତନ ପାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତ ବିଷ୍ଣୁ ଚରଣ ଦାଶ ତାହା ଗ୍ରହଣ କରିଥିଲେ । ଏସବୁ ଆଜି ଆମକୁ କିମ୍ବଦନ୍ତୀ ଭଳି ଲାଗୁଛି । ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର ସ୍ୱର୍ଗତ ସାମନ୍ତ ସିଂହଙ୍କୁ ଜଣେ ସ୍ୱାଭିମାନୀ ମଣିଷ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ସ୍ୱାଗତ ଭାଷଣ, ସମାଜସେବୀ ବରୁଣରାଜ ଧନ୍ୟବାଦ ଅର୍ପଣ ଓ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ ସାଳନ କରିଥିଲେ ।