ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୋଟର ତାଲିକାକୁ ସଠିକ୍, ସର୍ବସମାବେଶୀ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟ
ଭୁବନେଶ୍ୱର, ୦୪/୦୭: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଲନଙ୍କ ଅଧ୍ୟକ୍ଷତାରେ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ଉପ-ସିଇଓ ଡ଼.ଲକ୍ଷ୍ମୀପ୍ରସାଦ ସାହୁ ,ଶ୍ରୀମତୀ ଅନାମିକା ସିଂ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ସମୀକ୍ଷା ବୈଠକ ବସିଥିଲା।
ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଏସଆଇଆର ୨୦୨୬ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୧୦ ଜଣ ଆଇଏଏସ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ସଫଳ ସମାପ୍ତି, ଚାଲିଥିବା ଡିଜିଟାଲାଇଜେସନର ପ୍ରଗତି ଏବଂ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଏହାସହ ପର୍ଯ୍ୟବେକ୍ଷକମାନଙ୍କୁ ସମଗ୍ର ଏସଆଇଆର ପ୍ରକ୍ରିୟା ଏବଂ ଆଗାମୀ ପର୍ଯ୍ୟାୟଗୁଡ଼ିକରେ ସେମାନଙ୍କର ଦାୟିତ୍ୱ ବିଷୟରେ ଅବଗତ କରାଯାଇଥିଲା।
ସୂଚନାଯୋଗ୍ୟ ଗତକାଲି ରାଜ୍ୟର ୧୦ ବରିଷ୍ଠ ଆଇଏଏସ ଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଙ୍କୁ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ ଙ୍କୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ଅନୁସୂଚିତ ଜାତି ଓ ଜନଜାତି ସଚିବ ବି. ପରମେଶ୍ଵରନ ଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟଙ୍କୁ ଦେବଗଡ଼, ସମ୍ବଲପୁର, ବରଗଡ଼, ଇଡ୍କୋର ପରିଚଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ଙ୍କୁ ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ମୋହନ ସାମଲ ଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ, ଏମ୍ଏସ୍ଏମ୍ଇ ସଚିବ ରଶ୍ମିତା ପଣ୍ଡାଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ଵର, ସାଧାରଣ ଉଦ୍ୟୋଗ ସଚିବ ମହମ୍ମଦ ସାଦିକ ଆଲମଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ଉତ୍ତରାଞ୍ଚଳ-ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଆପତ୍ତି ଓ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ନିବିଡ଼ ଭାବେ ଅନୁଧ୍ୟାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି। ଯେପରି କୌଣସି ଜଣେ ବି ଯୋଗ୍ୟ ଭୋଟର ଏହି ତାଲିକାରୁ ବାଦ୍ ନପଡ଼ନ୍ତି ଏବଂ ଭୋଟର ତାଲିକା ସମ୍ପୂର୍ଣ୍ଣ ସଠିକ୍, ସର୍ବସମାବେଶୀ ଓ ତ୍ରୁଟିଶୂନ୍ୟ ହେବ, ତାହା ନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।