ସାରା ରାଜ୍ୟରେ ବର୍ଷା ବିତ୍ପାତ, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଫୁଲବାଣୀରେ ସର୍ବାଧିକ ୨୨୪ ମିମି ବର୍ଷା ରେକର୍ଡ଼

ଭୁବନେଶ୍ୱର, ୦୫/୦୭: ସାରା ରାଜ୍ୟରେ ବର୍ଷା ବିତ୍ପାତ। ଲଗାଣ ବର୍ଷାରେ ବେହାଲ ଉପକୂଳରୁ ଉପାନ୍ତ। କେଉଁଠି ଭସାଇଲାଣି ତ କେଉଁଠି ବୁଡାଇଲାଣି ଲଘୁଚାପ ବର୍ଷା। ଏଭଳି ଆହୁରି ଦୁଇ ଦିନ ସାରା ରାଜ୍ୟରେ ଲାଗି ରହିବ ବର୍ଷା। ତୁହାକୁ ତୁହା ବର୍ଷାରେ ଅନେକ ସ୍ଥାନ ଜଳବନ୍ଦୀ ହେଲାଣି। ସହରାଞ୍ଚଳ ରାସ୍ତାରେ ପାଣିର ସୁଅ ଛୁଟୁଛି, ନଦୀର ଭ୍ରମ ସୃଷ୍ଟି ହେଉଛି। ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବଳ ବର୍ଷାରେ ପାଣି ସ୍ରୋତରେ ଗତ କାଲି ବାଣୀବିହାର ନିକଟ ପଥରବନ୍ଧ ବସ୍ତି ପାଖରେ ଜଣେ ଯୁବକ କେନାଲରେ ଭାସି ଯାଇଛନ୍ତି। ନିଖୋଜ ହେବାର ୧୫ ଘଣ୍ଟା ବିତିଯାଇଥିଲେ ବି ତାଙ୍କର କୌଣସି ପତ୍ତା ମିଳୁନାହିଁ।

ଲଘୁଚାପ ବର୍ଷାରେ ଭୁବନେଶ୍ବର ଚିନ୍ତାମଣିଶ୍ବରରେ ଧୋଇଯାଇଛି କେନାଲ ରାସ୍ତା। ଯାହା ଫଳରେ ଜିଜିପି କଲୋନୀରୁ ବଡଗଡ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିଛନ୍ତି।

ଅନ୍ୟପଟେ ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଂଚଳରେ ସ୍ପଷ୍ଟଚିହ୍ନିତ ହୋଇଛି। ଆଗାମୀ ୬ ଘଣ୍ଟାରେ ଅବପାତର ରୂପ ନେବ। ଏହା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଉତ୍ତର ଓଡ଼ିଶା-ଛତିଶଗଡ଼ ଦେଇ ଗତିକରିବା ସମ୍ଭାବନା ରହିଛି।

ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଳାକୁ ରେଡ୍ ଓ ୬ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ସମ୍ବଲପୁର ଓ ନୂଆପଡାକୁ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ, ସୋନପୁର, ବଲାଙ୍ଗିର, କଳାହାଣ୍ଡିକୁ ୱାର୍ଣ୍ଣିଂ ଜାରି ହୋଇଛି। ୧୧ଟି ଜିଲ୍ଲା ଯେପରିକି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୧୧୯.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ବିଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବାଧିକ ୨୨୪ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ଟିଟିଲାଗଡ଼ ୨୦୫.୪ ମିମି, ନୂଆପଡ଼ାରେ ୧୯୬ ମିମି ବର୍ଷା, କେନ୍ଦ୍ରାପଡ଼ାରେ ୧୭୬ ମିମି ବର୍ଷା, କୋରାପୁଟରେ ୧୨୭.୨ ମିମି, କଟକରେ ୧୨୪.୮ ମିମି ଓ ବୌଦ୍ଧରେ ୧୧୬ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୮୧.୮ ମିମି, କେନ୍ଦୁଝରରେ ୫୯.୬ ମିମି, ପୁରୀରେ ୫୬ ମିମି ଓ ବାଲେଶ୍ବରରେ ୪୨.୬ ମିମି ବର୍ଷା ରେକର୍ଡ଼ ହୋଇଛି।