ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ ଡା.ଶ୍ୟାମାପ୍ରସାଦ ମୁଖାର୍ଜୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଶ୍ୟାମାପ୍ରସାଦଙ୍କର ଅଧୁରା ସ୍ୱପ୍ନକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସମ୍ବିଧାନର ୩୭୦ ଧାରା ଓ ୩୫(କ) ଉଚ୍ଛେଦ କରି ପୂରଣ କରିଛନ୍ତି

ଡ. ଶ୍ୟାମାପ୍ରସାଦ ଜୀଙ୍କ ବଳିଦାନ ଦେଶ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି

ଭୁବନେଶ୍ୱର, ୦୫/୦୭: ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଅମୂଲ୍ୟ ଉପହାର, ଯାହା ପ୍ରତିଟି ଭାରତବାସୀଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇଥାଏ । ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍‌ଥାନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ କେବଳ ଜଣେ ଅନନ୍ୟ ଶିକ୍ଷାବିତ୍ ନ ଥିଲେ, ବରଂ ଏକ ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ । ଆସନ୍ତା କାଲି ହେଉଛି ତାଙ୍କ ଜନ୍ମଦିନ । ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆମ ଦଳର ମହାନ୍ ଆଦର୍ଶ ତଥା ଦେଶର ଏହି ମହାନ୍‌‌ ଜନନାୟକଙ୍କ ଚରଣ କମଳରେ ମୁଁ ମୋର କୋଟି କୋଟି ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ମହିଳା ମୋର୍ଚ୍ଚା ତରଫରୁ ଆୟୋଜିତ ଡା.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ସମ୍ମିଳନୀରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୧୯୦୧ ମସିହା ଜୁଲାଇ ୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ଡା.ମୁଖାର୍ଜୀ ତାଙ୍କ ପିତା ତଥା ବଙ୍ଗଳାର ପ୍ରସିଦ୍ଧ ଶିକ୍ଷାବିତ୍ ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜର ଶିକ୍ଷାଗତ ଯୋଗ୍ୟତାରେ ସର୍ବୋଚ୍ଚ ସଫଳତା ହାସଲ କରିଥିଲେ । ମାତ୍ର ୩୩ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଦାୟିତ୍ୱ ନେଇ ଶିକ୍ଷା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତନ ଆଣିଥିଲେ । ଭାରତୀୟ ଭାଷା, ବିଶେଷ କରି ବଙ୍ଗଳା, ହିନ୍ଦୀ ଓ ଉର୍ଦ୍ଦୁର ବିକାଶ ପାଇଁ ତାଙ୍କର ପଦକ୍ଷେପ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହିପରି ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନ ଭାରତର ପ୍ରଥମ ଅନ୍ତରୀଣ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସେ ଦେଶର ଭବିଷ୍ୟତ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଶ୍ୟାମାପ୍ରସାଦ ହିନ୍ଦୁମାନଙ୍କ ସ୍ୱାର୍ଥରକ୍ଷା ପାଇଁ ହିନ୍ଦୁବହୁଳ ବଙ୍ଗପ୍ରଦେଶର ପଶ୍ଚିମଭାଗକୁ ଭାରତରେ ମିଶ୍ରଣ କରିବା ପାଇଁ ପ୍ରବଳ ଜନମତ ପ୍ରସ୍ତୁତ କରି ଏ ଦିଗରେ ସଫଳ ହୋଇଥିଲେ । ବଙ୍ଗପ୍ରଦେଶରେ ବିଶିଷ୍ଟ ଲୋକମାନଙ୍କୁ ନେଇ ଏକ ହିନ୍ଦୁ ସମ୍ମିଳନୀ କରାଯାଇ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା । କଲିକତା ସହର ସହିତ ଅର୍ଦ୍ଧେକ ବଙ୍ଗ ପ୍ରଦେଶ ଭାରତରେ ରହିଥିଲା । ଏହାପଛରେ ଶ୍ୟାମାପ୍ରସାଦଙ୍କ ଅଖଣ୍ଡ ଉଦ୍ୟମ ହିଁ ରହିଥିଲା । କିଛି ଲୋକ ସ୍ୱତନ୍ତ୍ର ବଙ୍ଗ ରାଜ୍ୟ ପାଇଁ ଯୁକ୍ତି ବାଢିଥିଲେ, ମାତ୍ର ତାହା ପଣ୍ଡ ହୋଇଯାଇଥିଲା । ଶ୍ୟାମାପ୍ରସାଦଙ୍କ ସଂସଦୀୟ କାର୍ଯ୍ୟପ୍ରଣାଳୀ ଏବଂ ସଂସଦୀୟ ବିତର୍କ ତାଙ୍କୁ ଜଣେ ମହାନ ସାଂସଦ ଭାବେ ପ୍ରସିଦ୍ଧି ଲାଭ କରାଇଥିଲା । ଦେଶର ଜଣେ ନିର୍ବିବାଦୀୟ ନେତା ଭାବରେ ହିନ୍ଦୁ ମହାସଭା ଦଳରେ ଥିଲେ ସୁଦ୍ଧା ତାଙ୍କୁ ସ୍ୱାଧୀନ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା । ଶ୍ୟାମାପ୍ରସାଦଙ୍କ ଭଳି ଦୃଢ଼ ନେତୃତ୍ୱର ସମର୍ଥନ ପାଇ ସର୍ଦ୍ଦାର ପଟେଲ ଭାରତରେ ମିଶିବାକୁ ଚାହୁଁନଥିବା ହାଇଦ୍ରାବାଦ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିଲେ ଏବଂ ଶେଷରେ ହାଇଦ୍ରାବାଦ ଭାରତରେ ମିଶିଥିଲା । ଦୁଇବର୍ଷରୁ କମ୍ କାର୍ଯ୍ୟକାଳ ଭିତରେ ଉଦ୍ୟୋଗ ଓ ଯୋଗାଣ ମନ୍ତ୍ରୀ ଭାବେ ଶ୍ୟାମାପ୍ରସାଦ ଦେଶର ନୂତନ ଶିଳ୍ପନୀତି ପ୍ରସ୍ତୁତ କରିବା ସହିତ ଦେଶର ଆର୍ôଥକ ନୀତି ଓ ଉଦ୍ୟୋଗ ନୀତିର ଢାଂଚା ପ୍ରସ୍ତୁତ କରିଥିଲେ ।

ଦେଶ ବିଭାଜନ ପରେ ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଭୀଷଣ ଅତ୍ୟାଚାର ହେବା କାରଣରୁ ହଜାର ହଜାର ହିନ୍ଦୁ ପାକିସ୍ଥାନ ଛାଡି ଜୀବନ ବିକଳରେ ଭାରତକୁ ଆସି ଶରଣାର୍ଥୀ ଜୀବନ ଯାପନ କରୁଥିଲେ । ପଣ୍ଡିତ ନେହେରୁ ଏହାର ସମାଧାନ ପାଇଁ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲିଙ୍କ ସହିତ ସନ୍ଧିଚୁକ୍ତି କରିବାପାଇଁ ସ୍ଥିର କରିଥିଲେ । ପାକିସ୍ଥାନରେ ହେଉଥିବା ସମସ୍ତ ହିଂସାକାଣ୍ଡ ସୂତ୍ରଧର ଲିଆକତ ଅଲ୍ଲୀ ହୋଇଥିବାରୁ ଏହି ସନ୍ଧିକୁ ବିରୋଧ କରି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଦେଲେ । ସଂଘର ମୁଖ୍ୟ ଶ୍ରୀ ଗୋଲୱାଲକରଙ୍କୁ ଭେଟି ଦେଶରେ ଏକ ବିକଳ୍ପ ରାଜନୈତିକ ଦଳ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ନୂତନ ଦଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ବଳରାଜ ମାଧୋକ, ଅଟଳ ବିହାରୀ ବାଜପେୟୀ, କୁଶାଭାଉ ଠାକ୍‌‌ରେ, ନାନାଜୀ ଦେଶମୁଖ, ସୁନ୍ଦର ସିଂ ଭଣ୍ଡାରୀ ଆଦି ବଛାବଛା କାର୍ଯ୍ୟକର୍ତାଙ୍କୁ ସାମିଲ କରାଯାଇଥିଲା । ସାରା ଦେଶରୁ ଆସିଥିବା ନେତାମାନଙ୍କ ସହିତ ବିଚାର ବିମର୍ଷ କରି ୧୯୫୧ ମସିହା ଅକ୍ଟୋବର ମାସ ୨୧ ତାରିଖରେ ଦିଲ୍ଲୀର ରାଧେମାଲ କନ୍ୟାଶ୍ରମ ଠାରେ “ଭାରତୀୟ ଜନସଂଘ” ଦଳର ସ୍ଥାପନା କରାଗଲା । ଦିଲ୍ଲୀ ସ୍ଥିତ ଗୁରୁଦ୍ୱାରା ଶିଶଗଞ୍ଜ ଠାରେ ଶ୍ୟାମାପ୍ରସାଦ ନିଜର ପ୍ରଥମ ଅଧ୍ୟକ୍ଷୀୟ ଭାଷଣରେ ଭାରତର ପୁନଃନିର୍ମାଣ, ବିକଶିତ ଓ ସମୃଦ୍ଧଶାଳୀ ଦେଶ ଗଠନର ଲକ୍ଷ୍ୟକୁ ଘୋଷଣା କରିଥିଲେ । ଭାରତର ସଂସ୍କୃତି ଓ ଐତିହ୍ୟର ଉଚିତ୍ ମୂଲ୍ୟାଙ୍କନ ଓ ସଦୁପଯୋଗ କରିବା ପାଇଁ ଜୋର ଦିଆଗଲା ।

ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ଜନସଂଘକୁ ପଶ୍ଚିମବଙ୍ଗରୁ ୨ଟି ଏବଂ ରାଜସ୍ଥାନରୁ ୧ଟି ମୋଟ ୩ଟି ଆସନ ମିଳିଥିଲା । “ଏକ୍ ଦେଶ୍ ମେ ଦୋ ପ୍ରଧାନ୍‌‌, ଦୋ ବିଧାନ୍ ଔର ଦୋ ନିଶାନ୍ ନହିଁ ଚଲେଗା” । କାଶ୍ମୀର ପ୍ରାନ୍ତକୁ ଅନ୍ୟ ପ୍ରାନ୍ତ ସହିତ ସମାନ ସ୍ଥାନ ଦେବାପାଇଁ ଡା.ମୁଖାର୍ଜୀ ମତ ଦେବା ସହ ପାକିସ୍ଥାନ ସହିତ ‘କଠୋର ପାରସ୍ପରିକ ନୀତି’ର ପ୍ରସ୍ତାବ ଦେଇଥିଲେ । ପ୍ରାନ୍ତବାଦ, ଜାତିବାଦକୁ ଦୂର କରିବାର ଆହ୍ୱାନ ଦେଇ ଦେଶରେ ଏକତା, ଅଖଣ୍ଡତା ଓ ମୂଳଦୁଆ ପ୍ରତିଷ୍ଠା ପାଇଁ ଜୋର ଦେଇଥିଲେ । କାଶ୍ମୀରର ପରମିଟ ବ୍ୟବସ୍ଥା ଉଚ୍ଛେଦ ପାଇଁ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହେଲା ଏବଂ ଏହି ସତ୍ୟାଗ୍ରହ ଆନ୍ଦୋଳନର ନେତୃତ୍ୱ ନେଲେ ନିଜେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ । ବୈଦ୍ୟ ଗୁରୁଦତ, ଟେକଚାନ୍ଦ, ବଳରାଜ ମାଧୋକ ଓ ଅଟଳଜୀଙ୍କ ସହ କାଶ୍ମୀର ପ୍ରବେଶ ସମୟରେ ୧୯୫୩ ମସିହାରେ ତାଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା । ଏହି ସମୟରେ ଦେଶର ଗୃହମନ୍ତ୍ରୀ ଶ୍ରୀ କାଟଜୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ଶ୍ରୀନଗର ଯାଇଥିଲେ, ମାତ୍ର ଡା.ମୁଖାର୍ଜୀଙ୍କୁ ଭେଟିନଥିଲେ । ଡା.ମୁଖାର୍ଜୀଙ୍କ ଚିକିତ୍ସାରେ ସଂପୂର୍ଣ୍ଣ ଅବହେଳା କରାଯାଇଥିଲା ଏବଂ ଶେଷରେ ଜୁନ ମାସ ୨୩ ତାରିଖ ଦିନ ଦେହାନ୍ତ ହୋଇଥିଲା । ଡ. ମୁଖାର୍ଜୀଙ୍କ ମୃତ୍ୟୁ ଏକ ସୁନିୟୋଜିତ ହତ୍ୟାକାଣ୍ଡ ଥିଲା ବୋଲି ସନ୍ଦେହ ଘେରରେ ଥିବା ସତ୍ୱେ ନେହେରୁ ସରକାର ଏହି ଘଟଣାର କୌଣସି ଯାଂଚ କରିନଥିଲେ । ପୋଷ୍ଟମର୍ଟମ କରାନଯାଇ ପରଦିନ ତାଙ୍କ ପାର୍ôଥବ ଶରୀରକୁ କଲିକତା ନିଆଯାଇଥିଲା । ମୃତ୍ୟୁର ଯାଂଚ ପାଇଁ ତାଙ୍କ ମା’ଙ୍କର ଅନୁରୋଧକୁ ମଧ୍ୟ ପଣ୍ଡିତ ନେହେରୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଦେଶ ମ୍ରିୟମାଣ ହୋଇଯାଇଥିଲା । ଏହା ଭିତରେ ଅନେକ ବର୍ଷ ବିତିଯାଇଛି, କିନ୍ତୁ ଡ. ଶ୍ୟାମାପ୍ରସାଦ ଜୀଙ୍କ ବଳିଦାନ ଦେଶ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ତାଙ୍କ ହାତରେ ଗଠିତ ରାଜନୈତିକ ଦଳ “ଭାରତୀୟ ଜନସଂଘ” ଅନେକ ଉତ୍‌ଥାନ ପତନ ଦେଇ ପରବର୍ତୀ ସମୟରେ ‘ଭାରତୀୟ ଜନତା ପାର୍ଟି’ ନାମରେ ଆଜି ଦେଶର ତଥା ବିଶ୍ୱର ୧ ନମ୍ୱର ରାଜନୈତିକ ଦଳ ଭାବେ ଉଭା ହୋଇଛି । ଶ୍ୟାମାପ୍ରସାଦଙ୍କର ସେହି ଅଧୁରା ସ୍ୱପ୍ନକୁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସମ୍ବିଧାନର ୩୭୦ ଧାରା ଓ ୩୫(କ) ଉଚ୍ଛେଦ କରି ପୂରଣ କରିଛନ୍ତି । ଆଜି ମୋଦୀଜୀଙ୍କ ନେତୃତ୍ୱରେ ସାରା ଦେଶରେ ଏକ ଅଭୂତପୂର୍ବ ପରିବର୍ତନର ଯୁଗ ଆରମ୍ଭ ହୋଇଛି । ଏହା ହିଁ ଡଃ ମୁଖାର୍ଜୀଙ୍କ ପ୍ରତି ଦେଶର ସର୍ବଶ୍ରେଷ୍ଠ ଓ ସଚ୍ଚା ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଆମ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଓଡ଼ିଶାର ପୂର୍ବତନ ସରକାର ଏହି ମହାନ ଜନନାୟକଙ୍କ ସ୍ମୃତି ଓ ବଳିଦାନକୁ କେବେ ସମ୍ମାନ ଜଣାଉନଥିଲେ କିମ୍ବା ତାଙ୍କ ସ୍ମୃତି ଦିବସ ପାଳନ କରୁନଥିଲେ । ମାତ୍ର ଆଜି ଆମ ସରକାର ଏହାକୁ ଏକ ଜାତୀୟ କର୍ତବ୍ୟ ବୋଲି ସ୍ୱୀକାର କରିଛି ଏବଂ ଆଗକୁ ମଧ୍ୟ ଅତି ଗର୍ବର ସହ ପାଳନ କରିବ । ଆଜି ଯେତେବେଳେ ଆମେ ସମସ୍ତେ ମିଶି ଏକ “ବିକଶିତ ଓଡ଼ିଶା” ଓ ଏକ ଶକ୍ତିଶାଳୀ ଭାରତ ଗଠନ ଦିଗରେ ଆଗେଇ ଚାଲିଛୁ, ଡଃ ମୁଖାର୍ଜୀଙ୍କ ନୀତି, ଆଦର୍ଶ ଓ ଦୃଷ୍ଟିକୋଣ ଆମକୁ ସଠିକ୍ ମାର୍ଗ ଦେଖାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଆଜିର ମହିଳା ହେଉଛି ସଶକ୍ତ ଭାରତର ମହିଳା । ଦେଶର ବିକାଶରେ ମହିଳାମାନଙ୍କ ଯୋଗଦାନ ବଢ଼ିଛି । ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ କିମ୍ୱା ବିଜନେସ୍‌- ସବୁ କ୍ଷେତ୍ରରେ ଆମର ମା’ମାନେ ଦକ୍ଷ ହୋଇ ଦେଶର ଅଭିବୃଦ୍ଧିରେ ନିଜର ଯୋଗଦାନ ରଖୁଛନ୍ତି । ମହିଳାମାନଙ୍କ ପାଇଁ ଓଡ଼ିଶାରେ ଆମ ସରକାର ସଶକ୍ତିକରଣ’ର ଏକ ନୂଆ ଯୁଗ ଆରମ୍ଭ କରିଛନ୍ତି । ସୁଭଦ୍ରାରେ ୧ କୋଟି ମହିଳା ସଶକ୍ତ ହେବା ସହିତ ୨୪ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇଛନ୍ତି । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି ଯୋଜନା ଏକ ଦୃଢ଼ ପ୍ଲାଟଫର୍ମ ଭାବରେ ମହିଳାମାନଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବ । ଆମେ ମହିଳାମାନଙ୍କୁ ବଡ଼ ସଂଖ୍ୟାରେ ଶିଳ୍ପ ଓ ବ୍ୟବସାୟ ଆଡ଼କୁ ପ୍ରେରିତ କରୁଛୁ । ନିକଟରେ ଅନ୍ତର୍ଜାତୀୟ ଏମଏସଏମଇ ଦିବସ ଦିନ ଆମେ ଓଡ଼ିଶାରେ ନୀତି ଆୟୋଗ ସହାୟତାରେ ମହିଳା ଉଦ୍ୟମିତା ମଂଚ ଖୋଲିଛୁ । ଏହି ପ୍ଲାଟଫର୍ମ ଜରିଆରେ ଆମର ମା’ମାନଙ୍କୁ ଆର୍ôଥକ ସହାୟତା, ସ୍କିଲ୍ ଟ୍ରେନିଙ୍ଗ୍‌, ପ୍ରଡକ୍ସନ୍ ସପୋର୍ଟ, ବିଜନେସ୍ ସ୍କିଲ୍ ଟ୍ରେନିଂ, ମାର୍କେଟିଂ ସପୋର୍ଟ ଆଦି ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଆମର ମା’ମାନଙ୍କ ଦକ୍ଷତାର ପୂରା ଉପଯୋଗ କରାଯାଇ ସେମାନଙ୍କୁ ଅଣୁ ଓ କ୍ଷୁଦ୍ର ବ୍ୟବସାୟରେ ଅଗ୍ରଣୀ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆଦି ଅନେକ ଯୋଜନା କରାଯାଉଛି । ନାରୀ ଶକ୍ତିର ଅଧିକାର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ପାର୍ଲାମେଂଟରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଣିଛନ୍ତି । ସେ ଆଇନ ଲୋକସଭାରେ ପାସ୍ ନ ହେଲେ ମଧ୍ୟ ଆମର ଲକ୍ଷ୍ୟ ସ୍ଥିର ରହିଛି । ମୋଦୀଜୀଙ୍କ ନେତୃତ୍ୱରେ ନାରୀ ଶକ୍ତିର ସମ୍ମାନ ଓ ଅଧିକାରକୁ ନିଶ୍ଚିତ ଭାବରେ ସୁରକ୍ଷିତ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଶ୍ୟାମାପ୍ରସାଦ ଭାରତ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ଆଜି ମୋଦୀଜୀ ପୂରଣ କରୁଛନ୍ତି । ଆମେ ସମସ୍ତେ ଘରେ ଘରେ ଶ୍ୟାମାପ୍ରସାଦଙ୍କ ନୀତି ଓ ଆଦର୍ଶର ପ୍ରଚାର, ପ୍ରସାର କରି ଶ୍ୟାମାପ୍ରସାଦଙ୍କ ଆଦର୍ଶକୁ ଆମ ମନ ଓ ହୃଦୟରେ ରଖି ମା’ ଭାରତୀର ସେବା କରିବା ପାଇଁ ପ୍ରତିବଦ୍ଧ ହୋଇ କାମ କରିବା । ମୋଦୀଜୀଙ୍କ ଦକ୍ଷ ନେତୃତ୍ୱର ପ୍ରଚାର, ପ୍ରସାର କରନ୍ତୁ । ତାଙ୍କର ଭାବନା ସମଗ୍ର ଓଡ଼ିଶା ଓ ଭାରତ ପାଇଁ ଦିଗଦର୍ଶନ ସାଜୁ । ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମକୁ ପାଥେୟ କରି ରାଜ୍ୟର ମାତୃଶକ୍ତିର ସଶକ୍ତୀକରଣ ଏବଂ ସାମଗ୍ରିକ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ମହିଳା ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ଓ ଯୁବ ସମାଜକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ କରିଛନ୍ତି ।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛାତ୍ରୀ ସମ୍ମିଳନୀରେ ରାଜ୍ୟ ସଂପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ପ୍ରବିଣା ଭଞ୍ଜଦେଓ, ଶିକ୍ଷାବିତ (ପ୍ରଫେସର) ମଧୁମିତା ଦାସ, ଫିକିର ଚେୟାରମେନ ଶ୍ରୀମତୀ ବ୍ୟୁତପ୍ରଜ୍ଞା ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନେକ ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ ।