ପାତ୍ରପୁର, ୦୮/୦୭ (ସୁରେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ଖାରିଆଗୁଡା ପଂଚାୟତ ଏସ୍. ନୂଆଗାଁରେ ପ୍ରେମିକଙ୍କ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାର ତଦନ୍ତକୁ ପୋଲିସ ଆହୁରି ଜୋରଦାର କରିଛି। ଗିରଫ ଅଭିଯୁକ୍ତ ଅଜୟ ନାଇକଙ୍କୁ ମଙ୍ଗଳବାର ଘଟଣାସ୍ଥଳକୁ ନେଇ କ୍ରାଇମ୍ ରିକ୍ରିଏସନ୍ କରାଯାଇଛି। ଅନ୍ୟପକ୍ଷରେ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜରେ ବ୍ୟବଚ୍ଛେଦ ପରେ ମୃତଦେହକୁମଙ୍ଗଳ ବାର ସନ୍ଧ୍ୟା ରେ ଗାଁକୁ ଅଣାଯାଇ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ଚାରି ମାସ ପୂର୍ବେ ଅଜୟ ନାଇକ ସେହି ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ସମ୍ପର୍କରେ ଘରୁ ନେଇ ଚାଲିଯାଇଥିଲେ। ପ୍ରାୟ ଏକ ମାସ ପୂର୍ବେ ଉଭୟ ଗ୍ରାମକୁ ଫେରି ଅଜୟଙ୍କ ଘରେ ରହୁଥିଲେ। ରବିବାର ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବିବାଦ ହେବା ପରେ ସୋମବାର ଭୋରରେ ନାବାଳିକାଙ୍କ ମୃତ୍ୟୁ ଘଟି ଥିବା ସାହି ପଡ଼ିଶା ଜାଣି ଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ଘଟଣାସ୍ଥଳରୁ ଭଙ୍ଗା ଚୁଡ଼ି, ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ମୃତାଙ୍କ ବାପା ବୁଲୁ ସାହୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୋଲିସ କହିଛି, ଅଭିଯୁକ୍ତଙ୍କ ବୟାନ, କ୍ରାଇମ୍ ରିକ୍ରିଏସନ୍, ଜବତ ସାମଗ୍ରୀ ଏବଂ ଫରେନ୍ସିକ୍ ରିପୋର୍ଟକୁ ଆଧାର କରି ତଦନ୍ତ ଚାଲିଛି। ବ୍ରହ୍ମପୁର ଏସ୍.ପି.ଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଏସ୍.ଡି.ପି.ଓ. ବିଶ୍ୱାମିତ୍ର ହରପାଲଙ୍କ ତତ୍ତ୍ୱାବଧାନରେ ଜରଡ଼ା ଥାନା ଅଧିକାରୀ ମିନାକ୍ଷୀ ଦଳବେହେରା ଘଟଣା ର ତଦନ୍ତ କରୁଛନ୍ତି।ପୋଲିସ ମାମଲାର ସମସ୍ତ ଦିଗକୁ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଓ ବୈଜ୍ଞାନିକ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।