ଏନକାଉଣ୍ଟରରେ ଦୁଷ୍କର୍ମକାରୀ ନିହତ

କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ ଗୁଳି ଚଳାଇଥିଲା ଅଭିଯୁକ୍ତ

୭୨ ଘଣ୍ଟା ଭିତରେ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

କୋଲକାତା, ୦୮/୦୭: ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର କଲା ପଶ୍ଚିମବଙ୍ଗ ପୋଲିସ୍। ୧୧ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ୪ ଅଭିଯୁକ୍ତ। ବାରୁଇପୁର ଅଞ୍ଚଳରେ ସିନ ରିକ୍ରିଏସନ ବେଳେ ଏନକାଉଣ୍ଟରରେ ଟଳିଛି ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ।

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବାରୁଇପୁରରେ ଘଟିଥିବା ୧୨ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ପଶ୍ଚିମବଙ୍ଗରେ ବ୍ୟାପକ ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିବାର ଦିନ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ। ପରିବାର ତାଙ୍କୁ ଖୋଜାଖୋଜି କରିବା ବେଳେ ଜୁଲାଇ ୫ ତାରିଖରେ ବାରୁଇପୁରର ସୂର୍ଯ୍ୟପୁର ଅଞ୍ଚଳର ଏକ ପୋଖରୀରୁ ବସ୍ତା ଭିତରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ତଦନ୍ତରେ ଜଣାପଡ଼ିଥିଲା ଯେ ଝିଅଟିଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା।

ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ପ୍ରଭାସ ମଣ୍ଡଳ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା। ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତକୁ ସୂର୍ଯ୍ୟପୁରକୁ ନିଆଯାଇଥିଲା।

ସିନ୍ ରିକ୍ରିଏସନ ସମୟରେ ପ୍ରଭାସ ମଣ୍ଡଳ ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ୍ ପିସ୍ତଲ ଛଡ଼ାଇ ନେଇ ପୋଲିସ ଉପରେ ଗୁଳି ଚଳାଇଥିଲେ ଏବଂ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏହା ପରେ ଗୁରୁତର ଅବସ୍ଥାରେ ପ୍ରଭାସକୁ ବାରୁଇପୁର ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଏହା ପୂର୍ବରୁ ଆଉ ଜଣଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଥିଲେ। ନାବାଳିକାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟଙ୍କର କ୍ରୋଧ ସୃଷ୍ଟି ହୋଇଥିଲା। ବାରୁଇପୁର–ଜୟନଗର ରାସ୍ତା ଅବରୋଧ କରାଯାଇଥିଲା, ଟାୟାର ଜାଳି ଦିଆଯାଇଥିଲା ଏବଂ ପୋଲିସ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା। ଏହି ସମୟରେ ଇନ୍ଦ୍ରଜିତ ମଣ୍ଡଳକୁ କିଛି ଲୋକ ତାଙ୍କୁ ଅପରାଧରେ ଜଡିତ ବୋଲି ସନ୍ଦେହ କରି ପିଟିପିଟି ହତ୍ୟା କରିଦେଇଥିଲେ। ପରେ ପୋଲିସ ସ୍ପଷ୍ଟ କରିଥିଲା ଯେ ସେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ନଥିଲେ।

ଘଟଣାର ସଠିକ୍ ତଦନ୍ତ ପାଇଁ ପୋଲିସ ଏକ ଛଅ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛି। ଏଥି ସହ ଇନ୍ଦ୍ରଜିତ ମଣ୍ଡଳଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ମାମଲା ରୁଜୁ କରାଯାଇଛି ଏବଂ ଗିରଫଦାରୀ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାର ସମୀକ୍ଷା କରି ପୋଲିସ ମହାନିର୍ଦ୍ଦେଶକଙ୍କୁ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ତଦନ୍ତରେ କୌଣସି ଅବହେଳା ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସେ ପୀଡ଼ିତାଙ୍କ ପରିବାର ଏବଂ ଇନ୍ଦ୍ରଜିତ ମଣ୍ଡଳଙ୍କ ପରିବାରକୁ ଭେଟି ଉଭୟଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନ ଦେଇଛନ୍ତି।

ପୋଲିସ କହିଛି ଯେ ପ୍ରତିବାଦ ସମୟରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଥିବା ପ୍ରାୟ ୨୦୦ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ। ଇନ୍ଦ୍ରଜିତ ମଣ୍ଡଳଙ୍କ ହତ୍ୟାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ ବୋଲି ମଧ୍ୟ କୁହାଯାଇଛି।