ଅସ୍ତ୍ରବିରତି ଶେଷ: ପ୍ରଚଣ୍ଡ ଆକ୍ରମଣରେ ଥରିଲା ଇରାନ
ଇରାନ ସରକାର ଭଳି ‘କ୍ୟାନ୍ସର’କୁ ବହୁ ପୂର୍ବରୁ କାଟି ଦେବାର ଥିଲା: ଟ୍ରମ୍ପ
ତେହେରାନ, ୦୮/୦୭: ପୁଣି ତେଜିଛି ମଧ୍ୟପ୍ରାଚ୍ୟର ଉତ୍ତେଜନା। ହର୍ମୁଜ ପ୍ରଣାଳୀରେ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଇରାନର ଆକ୍ରମଣ ପରେ ଆମେରିକା ଇରାନର ଅନେକ ସାମରିକ ଟାର୍ଉଗେଟ ପରେ ପ୍ରଚଣ୍ଡ ଆକ୍ରମଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଆକ୍ରମଣକୁ ଟ୍ରୁଥ୍ ସୋସିଆଲ୍ ଜରିଆରେ ସ୍ପଷ୍ଟ କରିଛନ୍ତି। ସେ ଇରାନ ସରକାରକୁ ‘କ୍ୟାନ୍ସର’ ବୋଲି ତୀବ୍ର ସମାଲୋଚନା କରିଛନ୍ତି ଏବଂ ଅସ୍ତ୍ରବିରତି ଚୁକ୍ତି ଶେଷ ହୋଇଯାଇଥିବା ଘୋଷଣା କରିଛନ୍ତି।
ଜୁଲାଇ ୭ ତାରିଖରେ ହର୍ମୁଜ ପ୍ରଣାଳୀ ନିକଟରେ ତିନୋଟି ବାଣିଜ୍ୟିକ ଜାହାଜ (ଗୋଟିଏ ସାଉଦି ଟ୍ୟାଙ୍କର୍, ଏକ କତାରୀ ଏଲ୍ଏନ୍ଜି ଟ୍ୟାଙ୍କର୍ ଏବଂ ଆଉ ଏକ ଜାହାଜ) ଉପରେ ଆକ୍ରମଣ ହୋଇଥିଲା। ଆମେରିକା ଏହାକୁ ଇରାନର କାର୍ଯ୍ୟ ବୋଲି ଅଭିଯୋଗ କରିଛି। ଏହା ପରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଇରାନର ୮୦ଟି ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିଛି। ଏଥିରେ ଏୟାର୍ ଡିଫେନ୍ସ ସିଷ୍ଟମ୍, କୋଷ୍ଟାଲ୍ ରାଡାର୍ ସାଇଟ୍, ମିସାଇଲ୍ ଏବଂ ଡ୍ରୋନ୍ ଷ୍ଟୋରେଜ୍ ସ୍ଥାନ ଏବଂ ଆଇଆର୍ଜିସି (IRGC) ନୌସେନା ଉପରକୁ ଟାର୍ଗେଟ କରାଯାଇଛି।
ଟ୍ରମ୍ପ୍ ଏହି ଆକ୍ରମଣ ବେଳେ ବିସ୍ଫୋରଣର ଭିଡିଓ ମଧ୍ୟ ଟ୍ରୁଥ୍ ସୋସିଆଲ୍ରେ ସେୟାର୍ କରିଛନ୍ତି ଏବଂ ଏହାକୁ ଇରାନର ଉପରେ କଡ଼ା ଜବାବ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଇରାନ ସହ ଥିବା ଅସ୍ତ୍ରବିରତି ଚୁକ୍ତି (MOU) ଏବେ ଶେଷ ହୋଇଯାଇଛି। ନାଟୋ ସମ୍ମିଳନୀରେ ମଧ୍ୟ ସେ ଏହା ଘୋଷଣା କରିଛନ୍ତି।
ଟ୍ରମ୍ପ୍ ଇରାନର ସରକାର ତୀବ୍ର ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆମେ ଏହି କ୍ୟାନ୍ସରକୁ ବହୁ ପୂର୍ବରୁ କାଟି ଦେବା ଉଚିତ୍ ଥିଲା। କ୍ୟାନ୍ସରକୁ ଆଗୁଆ କାଟି ଦେବା ଦରକାର।” ସେ ଇରାନୀୟ ନେତୃତ୍ୱକୁ “ଅସୁସ୍ଥ ଲୋକ” ବୋଲି ମଧ୍ୟ କହିଛନ୍ତି ଏବଂ ଆଲୋଚନା ଚାଲୁ ରହିଲେ ମଧ୍ୟ ଏହା କେବଳ ସମୟର ଅପଚୟ ବୋଲି ମତ ଦେଇଛନ୍ତି।
ଏହି ଆକ୍ରମଣ ସମୟରେ ଟ୍ରମ୍ପ୍ ନାଟୋ ସମ୍ମିଳନୀରେ ଥିଲେ ଏବଂ ଏହା ନାଟୋ ନେତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ଇରାନର ତୈଳ ବିକ୍ରୟ ଲାଇସେନ୍ସ ମଧ୍ୟ ପ୍ରତ୍ୟାହାର କରିଛନ୍ତି।
ପୂର୍ବରୁ ଇସ୍ରାଏଲ୍ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲେ ଏବଂ ଏକ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା। କିନ୍ତୁ ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଏହି ଅସ୍ତ୍ରବିରତି ଭାଙ୍ଗିଛି। ଇରାନ ମଧ୍ୟ ଆମେରିକାର ଟାର୍ଗେଟ ଉପରେ ପ୍ରତିଆକ୍ରମଣ କରିଥିବା ଦାବି କରିଛି।
ଏହି ଘଟଣା ବିଶ୍ୱ ତୈଳ ବଜାର ଏବଂ ସାମୁଦ୍ରିକ ବାଣିଜ୍ୟକୁ ପ୍ରଭାବିତ କରିପାରେ। ପରିସ୍ଥିତି ଏବେ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଆଗାମୀ ଦିନରେ ଆହୁରି ବଢ଼ିପାରେ।