କଲ୍ୟାଣ ସିଂହପୁର, ୦୮/୦୭(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କୁମ୍ଭାରଗୁଡା ବାଲି ଘାଟରୁ ବାଲି ଚୋରା ଚାଲାଣ ବେଳେ ୩ଟି ଗାଡି ଅଟକ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନ ରେ କୌଣସି ସୂତ୍ରରୁ କୁମ୍ଭାରଗୁଡା ନାଗାବଳି ନଦୀ ବାଲି ଘାଟରୁ ୩ଟି ଟ୍ରାକ୍ଟର ରେ ବାଲି ବୋଝେଇ କରି ନେଉ ଥିବା ସ୍ଥାନୀୟ ପୁଲିସ ଖବର ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜିତ ପରିଡା ପହଞ୍ଚି ଗାଡିକୁ ଅଟକ ରଖି ପଚାର ଉଚରା କରିଥିଲେ।ଥାନାକୁ ବାଲି ବୋଝେଇ ଗାଡି ଓଡି ୧୮ କ୍ୟୁ ୬୨୩୮ ଓ ଅନ୍ୟ ଦୁଇଟି ନମ୍ବର ବିହୀନ ଟ୍ରାକ୍ଟର ଆଣି ଗାଡି ଚାଳକ ଓ ଗାଡି ମାଲିକ ନାମରେ ୭୬, ୭୭, ୭୮/୨୬ ରେ ବାଲି ଚୋରା ଚାଲାଣ ମାମଲା ରୁଜୁ କରିଥିବା ଥାନା ଅଧିକାରି କହିଛନ୍ତି। ନାଗାବଳି ନଦୀରୁ ବିଭିନ୍ନ ଘାଟରୁ ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ କିଛି ବାଲି ମାଫିଆ ସହ ପ୍ରଶାସନ ଓ ଖଣି ବିଭାଗ ଅଧିକାରୀମାନେ ମଧୁଚନ୍ଦ୍ରିକା ହୋଇ ରହି ଚୋରା ଚାଲାଣ କୁ ପ୍ରୋତ୍ସାହନ ଦେଉଛନ୍ତି। ଏହାକୁ ରୋକିବା ପାଇ ପ୍ରଶାସନ ଏକ ଦଳ ଗଠନ କରି ତଦାରଖ କଲେ ରାଜସ୍ବ ବିଭାଗ କୁ ଅର୍ଥ ଲାଭ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟ ପଟେ ଆବାସ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଥିବା କାର୍ଯ୍ୟାଦେଶ ହିତାଧିକାରୀ ମାନେ ବାଲି ନ ପାଇ ଘର ନିର୍ମାଣ କରିବାରେ ବିଳମ୍ବ ହେଉଥିବା ବେଳେ ବାଲି ମାଫିଆ ମାନେ ଚଢ଼ା ଦରରେ ବାଲି ବିକ୍ରି କରି ଲାଭବାନ ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।