ଭୁବନେଶ୍ୱର, ୦୯/୦୭: ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୮ ତାରିଖରେ ରାଖୀ ପୂର୍ଣ୍ଣିମା ଅବସରରେ ପଞ୍ଚମ କିସ୍ତି ସୁଭଦ୍ରା ଯୋଜନା ପାଇଁ ୧.୦୧ କୋଟିରୁ ଅଧିକ ମହିଳାଙ୍କୁ ହିତାଧିକାରୀ ଭାବରେ ଚିହ୍ନଟ କରାଯାଇଛି। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ମୋଟ ୧ କୋଟି ୧୫ ଲକ୍ଷ ୭୫ ହଜାର ୬୩୩ ଆବେଦନ ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ ୨୦୨୬-୨୭ ଆର୍ଥିକ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ ନୂତନ ଆବେଦନ ଗ୍ରହଣ କରାଯାଇଛି।
ଯାଞ୍ଚ ଏବଂ ଯୋଗ୍ୟତା ମୂଲ୍ୟାଙ୍କନ ପରେ, ପ୍ରାରମ୍ଭିକ ଭାବରେ ପଞ୍ଚମ କିସ୍ତି ପାଇଁ ୧ କୋଟି ୨ ଲକ୍ଷ ୪ ହଜାର ୩୯୬ ମହିଳା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ୫,୨୭୭ ହିତାଧିକାରୀଙ୍କ ମୃତ୍ୟୁ ନିଶ୍ଚିତ କରି ତାଲିକାରୁ ସେମାନଙ୍କ ନାମ ବାଦ ଦେବା ପରେ, ହିତାଧିକାରୀଙ୍କ ଚୂଡ଼ାନ୍ତ ସଂଖ୍ୟା ୧ କୋଟି ୧ ଲକ୍ଷ ୯୯ ହଜାର ୧୯୯ ହୋଇଛି।
୮୨ ହଜାର ୩୬ ଜଣଙ୍କର ଡିବିଟି ସକ୍ରିୟ ପାଇଁ କୁହାଯାଇଛି।୨୮ ହଜାର ୬୧୧ ଜଣଙ୍କର ବାୟୋମେଟ୍ରିକ E-KYC ହୋଇନି। ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ବାରୀ ସରିବ।
ସୁଭଦ୍ରା ଯୋଜନାରେ ଚାରୋଟି କିସ୍ତି ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୨,୦୬୪.୮୬ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯାଇଛି।