୧୯୯୮ରେ ହତ୍ୟା, ୨୦୨୬ରେ ଗିରଫ

୨୮ ବର୍ଷ ଧରି ପୋଲିସକୁ ଚକମା ଦେଉଥିଲା, ଶେଷରେ ବାହାର ରାଜ୍ୟରୁ ଧରାପଡ଼ିଲା

ଝାରସୁଗୁଡ଼ା, ୧୦/୦୭: ପ୍ରାୟ ୨୮ ବର୍ଷ ଧରି ଏକ ହତ୍ୟା ମାମଲାରେ ପୁଲିସକୁ ଚକ୍‌ମା ଦେଇ ଫେରାର ଥିବା ଅଭିଯୁକ୍ତ ଶେଷରେ ଆଇନର ଜାଲରେ ଧରାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭୁନ୍ଦୁପାଲି ଗାଁର ନୀଳମଣି ମହାନନ୍ଦ (୫୧)କୁ ରେଙ୍ଗାଲି ପୁଲିସ ଛତିଶଗଡ଼ର ରାୟଗଡ଼ ସହରରୁ ଗୁଇନ୍ଦା ସୂଚନା ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି।

୧୯୯୮ ମସିହା ଅକ୍ଟୋବର ୯ ତାରିଖ ସନ୍ଧ୍ୟାର ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଶାସକ୍ତ ଅବସ୍ଥାରେ ଥିବା ଦୁର୍ଯୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ମୃତଦେହକୁ ଏକ ବସ୍ତାରେ ଭରି କେଲୋ ନଦୀରେ ଫିଙ୍ଗି ଦିଆଯାଇଥିଲା।

ଏହି ଘଟଣାରେ ସମ୍ପୃକ୍ତ ଥିଲେ ନୀଳମଣି ମହାନନ୍ଦ, ରାମ ପ୍ରସାଦ ଖଡ଼ିଆ ଏବଂ ବିଶ୍ୱନାଥ କହଁର। ପୁଲିସ ସେମାନଙ୍କୁ ଗିରଫ କରିଥିଲେ ମଧ୍ୟ ନୀଳମଣି ଥାନା ପରିସରରୁ ଫେରାର ହୋଇଯାଇଥିଲା। ସେହିଦିନଠାରୁ ସେ ବିଭିନ୍ନ ରାଜ୍ୟରେ ଲୁଚି ରହି ପୁଲିସକୁ ଚକ୍‌ମା ଦେଇ ଆସୁଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଦୁଇ ବର୍ଷ ଧରି ସେ ଛତିଶଗଡ଼ର ରାୟଗଡ଼ରେ ଛଦ୍ମନାମ ‘ରାଜୁ ଗଣ୍ଡା’ ପରିଚୟରେ ରହୁଥିଲା। ଏପରିକି ସେହି ନକଲି ପରିଚୟରେ ଆଧାର କାର୍ଡ ମଧ୍ୟ କରିଥିଲା।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରେଙ୍ଗାଲି ପୁଲିସ ଚଢ଼ାଉ କରି ରାୟଗଡ଼ରୁ ନୀଳମଣିକୁ ଗିରଫ କରିଛି। ଅନ୍ୟପଟେ, ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ରାମ ପ୍ରସାଦ ଖଡ଼ିଆ ଓ ଲେଚି କହଁର ବର୍ତ୍ତମାନ ଜାମିନରେ ଥିବା ସୂଚନା ମିଳିଛି।

ଦୀର୍ଘ ୨୮ ବର୍ଷ ପରେ ଫେରାର ଅଭିଯୁକ୍ତଙ୍କ ଗିରଫ କରିବା ରେଙ୍ଗାଲି ପୁଲିସର ଏକ ବଡ଼ ସଫଳତା।